ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ମଝିଗଡ଼ିଆ ମଥୁରାସାହି ଗାଁରେ ଘଟିଛି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ।ପାରିବାରିକ କଳହକୁ କେନ୍ଦ୍ର କରି ସାବତ ଶ୍ୱଶୁର ଲୁହା ରଡ଼ରେ ଆକ୍ରମଣ କରି ନିଜ ଜ୍ୱାଇଁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ମୃତକ ହେଲେ ରମେଶ ବିନ୍ଧାଣୀ। ସେ ନିଜ ସ୍ତ୍ରୀ ଭାରତୀ ହେମ୍ବ୍ରମଙ୍କ ସହ ଶ୍ୱଶୁର ଘରେ ରହୁଥିଲେ। ଏହାକୁ ନେଇ ସାବତ ଶ୍ୱଶୁର ଦାମୋଦର ପୂର୍ବରୁ ଅନେକ ଥର ବିରୋଧ କରୁଥିବା ଜଣାପଡ଼ିଛି।
ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ନିଶାସକ୍ତ ଅବସ୍ଥାରେ ଆରମ୍ଭ ହୋଇଥିବା ଯୁକ୍ତିତର୍କ ଉଗ୍ର ରୂପ ନେବା ପରେ ଦାମୋଦର ଏକ ଲୁହା ରଡ଼ରେ ରମେଶଙ୍କୁ ନିର୍ମମ ଭାବେ ଆକ୍ରମଣ କରିଥିଲେ।
ଗୁରୁତର ଆହତ ରମେଶଙ୍କୁ ପରିବାର ଲୋକେ ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଜ୍ୱାଇଁଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସ୍ତ୍ରୀ ଓ ନାତୁଣୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଘଟଣାର ଖବର ପାଇ କପ୍ତିପଦା ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିଛି। ଅଭିଯୁକ୍ତ ଶ୍ୱଶୁରଙ୍କୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।