ବଲାଙ୍ଗିର: ଚାଷ ଜମିରୁ ଫେରୁଥିବା ବେଳେ ଦଳି ଦେଲେ ହାତୀ ପଲ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଗାଈ ବାହାଲ ଗ୍ରାମରେ । ମୃତ ଯୁବକ ଜଣକ ହେଲେ ଗାଈ ବାହାଲ ଗାଁର ମନୁ ବୁଦ୍ଧିଆ ।
ମିଳିଥିବା ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ମନୁ ତାଙ୍କର ଚାଷ ଜମିକୁ ଚାଷ କାମ ପାଇଁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ହାତୀ ପଲ ହାବୁଡରେ ପଡିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ମନୁ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ପରେ ଜଙ୍ଗଲ ଭିତରୁ ତାଙ୍କର କ୍ଷତାକ୍ତ ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ବନ ବିଭାଗ ଓ ସ୍ଥାନୀୟ ପୋଲିସ ସହାୟତାରେ ତାଙ୍କର ମୃତଦେହ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ବର୍ତ୍ତମାନ ତାଙ୍କର ଶବ ବ୍ୟବଚ୍ଛେଦ ପାଇଁ ରଖାଯାଇଥିବା ଜଣାପଡିଛି। ସେପଟେ ହାତୀ ପଲକୁ ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଓ ହାତୀପଲକୁ ଘଉଡ଼ାଇବାକୁ ଦାବି କରିଛନ୍ତି ।