କେନ୍ଦ୍ରାପଡ଼ା: ଭିତରକନିକା ଜାତୀୟ ଉଦ୍ୟାନରେ ଆଜିଠାରୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଦେଶୀୟ ପକ୍ଷୀ ଗଣନା ଅଭିଯାନ। ଏହି ଗଣନା କାର୍ଯ୍ୟ ଲଗାତାର ତିନି ଦିନ ଧରି ଚାଲିବ ଏବଂ ପ୍ରତିଦିନ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀଙ୍କ ସଂଖ୍ୟା ଓ ପ୍ରଜାତି ଚିହ୍ନଟ କରାଯିବ।
ବନ ବିଭାଗ ପକ୍ଷରୁ ଏହି ଅଭିଯାନ ପାଇଁ ୪ଟି ସ୍ୱତନ୍ତ୍ର ଟିମ୍ ନିୟୋଜିତ ହୋଇଛି। ପ୍ରତ୍ୟେକ ଦଳରେ ୪ରୁ ୫ ଜଣ ବନ କର୍ମଚାରୀ ରହିଥିବା ବେଳେ ପକ୍ଷୀ ବିଶେଷଜ୍ଞଙ୍କ ନେତୃତ୍ୱରେ ଗଣନା କାର୍ଯ୍ୟ କରାଯାଉଛି। ମଠଆଡ଼ିଆରେ ୩ଟି ଟିମ୍ ଓ ଦୁର୍ଗାପ୍ରସାଦ ଡିଆ–ଲକ୍ଷ୍ମୀପ୍ରସାଦ ଡିଆରେ ଗୋଟିଏ ଟିମ୍ କାମ କରୁଛି।
ଏହି ଗଣନାରେ ଗେଣ୍ଡାଳିଆ, ଦାବେଣ୍ଟିଆ, ଅଞ୍ଜନା, ଖଇରା, ପାଣିକୁଆ, ମଝିଆ ବଗ, ଛୋଟ ବଗ, ରାଣୀ ବଗ, କାପରଖାଇ ଓ ଅନ୍ଧାରିଆ ବଗ ସମେତ ପ୍ରାୟ ୧୦ ପ୍ରକାର ଦେଶୀୟ ପକ୍ଷୀର ସଂଖ୍ୟା ଲିପିବଦ୍ଧ କରାଯାଉଛି। ଗତକାଲି ଏନେଇ ବନ କର୍ମଚାରୀଙ୍କୁ ସ୍ୱତନ୍ତ୍ର ତାଲିମ ମଧ୍ୟ ଦିଆଯାଇଥିଲା।
ବନଖଣ୍ଡ ଅଧିକାରୀଙ୍କ କହିବା ଅନୁଯାୟୀ, ବର୍ଷା ଋତୁରେ ଭିତରକନିକାରେ ପର୍ଯ୍ୟାପ୍ତ ଖାଦ୍ୟ ମିଳୁଥିବାରୁ ଏହି ସମୟରେ ପକ୍ଷୀମାନେ ବଂଶ ବିସ୍ତାର ପାଇଁ ବସା ବାନ୍ଧନ୍ତି। ବ୍ରାହ୍ମଣୀ ନଦୀର ଲକ୍ଷ୍ମୀପ୍ରସାଦ ଡିଆ, ଦୁର୍ଗାପ୍ରସାଦ ଡିଆ ଓ ବାଲିଡିଆ ସେମାନଙ୍କ ପ୍ରମୁଖ ପ୍ରଜନନ କେନ୍ଦ୍ର ପାଲଟିଛି।
ସକାଳ ଓ ସନ୍ଧ୍ୟାରେ ପକ୍ଷୀମାନେ ଜାତୀୟ ଉଦ୍ୟାନରୁ ବାହାରି ଚାଷଜମି, ପୋଖରୀ ଓ ପାଣି ନାଳକୁ ଖାଦ୍ୟ ସଂଗ୍ରହ ପାଇଁ ଉଡ଼ିଯାଉଥିବା ଦୃଶ୍ୟ ଭିତରକନିକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆହୁରି ମନୋରମ କରୁଛି।