ତେଲେଙ୍ଗାନା: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ମନ୍ତ୍ରୀମଣ୍ଡଳରୁ କ୍ୟାବିନେଟ ମନ୍ତ୍ରୀ କୋଣ୍ଡା ସୁରେଖାଙ୍କୁ ବହିଷ୍କାର କରିଛନ୍ତି । ଜଙ୍ଗଲ ଓ ବନ୍ଦୋବସ୍ତ ମନ୍ତ୍ରୀ ସୁରେଖାଙ୍କ ଝିଅ କୋଣ୍ଡା ସୁସ୍ମିତା ପଟେଲ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ଦଳର ଅନ୍ୟ ସଦସ୍ୟଙ୍କ ବିରୁଦ୍ଧରେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ପାଇଁ ରେବନ୍ତ ରେଡ୍ଡୀ ତାଙ୍କୁ ବହିଷ୍କାର କରିଛନ୍ତି । ଗୁରୁବାର ଏହି ଆଦେଶ ବିଜ୍ଞପ୍ତି ଜାରି ହେବାର ତତ୍କାଳ ସ୍ୱରୂପ କାର୍ଯ୍ୟକାରୀ ହୋଇଛି ।
ସୁରେଖାଙ୍କ ସହିତ ଜୀ. ଚିନ୍ନା ରେଡ୍ଡୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରାଜ୍ୟ ଯୋଜନା ପରିଷଦର ଉପାଧ୍ୟକ୍ଷ ପଦରୁ ଚିନ୍ନା ରେଡ୍ଡୀଙ୍କୁ ହଟାଇ ଦିଆଯାଇଛି । ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଗଡ଼ୱାଲ ବିଜୟଲକ୍ଷ୍ମୀଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । କଂଗ୍ରେସ ନେତ୍ରୀ ନେରଲା ଶାରଦା ମହିଲା ଆୟୋଗର ଅଧ୍ୟକ୍ଷ ହୋଇଛନ୍ତି । ସେହିପରି ପୂର୍ବତନ ସାଂସଦ ଜୀ. ସୁଧା ରାନୀଙ୍କ ୱାରଙ୍ଗଲର କାକତୀୟ ସହର ବିକାଶ ବୋର୍ଡର ଅଧ୍ୟକ୍ଷା ଭାବେ ନିଯୁକ୍ତି କରାଯାଇଛି ।
ଗତ କିଛି ଦିନ ଧରି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ମଲ୍ଲୁ ଭାଟି ବିକ୍ରମାର୍କ ଏବଂ ରାଜ୍ୟ କଂଗ୍ରେସ ସଭାପତି ବି. ମହେଶ କୁମାର ଗୌଡଙ୍କ ମଧ୍ୟରେ ଏଆଇସିସିର ବରିଷ୍ଠ ନେତାଙ୍କ ସହିତ ଘନ ଘନ ବୈଠକ ବସିଥିଲା । ଯାହା ପରେ ଶେଷ ରେବନ୍ତ ରେଡ୍ଡୀ ଏହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ତେଲେଙ୍ଗାନା କଂଗ୍ରେସର ଶୃଙ୍ଖଳା କମିଟି ପୂର୍ବରୁ ଦଳୀୟ ନେତୃତ୍ୱ ସୁପାରିଶ ଆଧାରରେ ସୁରେଖା ଏବଂ ଚିନ୍ନା ରେଡ୍ଡୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିଶ କରିଥିଲା । ସୁରେଖା ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଦଳୀୟ ବ୍ୟାପାର ପ୍ରଭାରୀ ମୀନାକ୍ଷୀ ନଟରାଜନଙ୍କୁ ଭେଟି ପକ୍ଷ ଉପସ୍ଥାପନ କରିଥିଲେ। ସେ ମନ୍ତ୍ରୀମଣ୍ଡଳରେ ରହିବାକୁ ଦଳୀୟ ନେତୃତ୍ୱଙ୍କୁ ଅନୁରୋଧ କରିଥିବା ସେ ନିଜେ କହିଥିଲେ । ସେ ଗୁରୁତ୍ୱାରୋପ କରିଥିଲେ ଯେ ମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟଦକ୍ଷତା ଭଲ ଥିଲା ଏବଂ ତାଙ୍କ ବିରୁଦ୍ଧରେ କୌଣସି ଦୁର୍ନୀତିର ଅଭିଯୋଗ ନାହିଁ।
କିନ୍ତୁ ସୁରେଖା ନିଜ ଝିଅର ମନ୍ତବ୍ୟକୁ ନେଇ ମୁହଁ ଖୋଲି ନ ଥିଲେ । ତାଙ୍କ ଝିଅ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଦେଇଥିବା ମନ୍ତବ୍ୟକୁ ସେ ଆଦୌ ନିନ୍ଦା କରିନଥିଲେ ବରଂ ଏହା ତାଙ୍କ ବ୍ୟକ୍ତିଗତ ମତ ବୋଲି ଯୁକ୍ତି ବାଢ଼ିଥିଲେ । ଫଳରେ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା ।
ଅନ୍ୟପକ୍ଷେ ରାଜ୍ୟ କଂଗ୍ରେସ ଶୃଙ୍ଖଳା କମିଟି ଚିନ୍ନା ରେଡ୍ଡୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସୁପାରିଶ କରିଥିଲା । ସିଏ ଦଳର ବିଧାୟକ ଟୁଡି ମେଘା ରେଡ୍ଡୀଙ୍କୁ ସମାଲୋଚନା କରିଥିଲେ।