ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ୧୭ତମ ବିଧାନସଭାର ୧୭ତମ ଅଧିବେଶନ ଆସନ୍ତା ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବ। ବିଧାନସଭା ସଚିବାଳୟ ପକ୍ଷରୁ ଗୁରୁବାର ଜାରି ହୋଇଥିବା ଅସ୍ଥାୟୀ କ୍ୟାଲେଣ୍ଡର ଅନୁଯାୟୀ, ଏହି ଅଧିବେଶନ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ।
ଏହି ଅଧିବେଶନରେ ଅଧିକାଂଶ ଦିନ ସରକାରୀ କାର୍ଯ୍ୟ ପାଇଁ ନିର୍ଦ୍ଧାରିତ ରହିଛି। ବିଭିନ୍ନ ବିଲ୍, ନୀତିଗତ ପ୍ରସ୍ତାବ ଓ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।
ସେପ୍ଟେମ୍ବର ୨୫ (ଶୁକ୍ରବାର)କୁ ବେସରକାରୀ ସଦସ୍ୟଙ୍କ କାର୍ଯ୍ୟଦିବସ ଭାବେ ରଖାଯାଇଛି। ସେହିଦିନ ବେସରକାରୀ ସଦସ୍ୟ ବିଲ୍ ଓ ସଂକଳ୍ପ ଉପସ୍ଥାପନ ଏବଂ ଆଲୋଚନା ହେବ। ସେପ୍ଟେମ୍ବର ୨୬ ଓ ୨୭ ତାରିଖରେ ବିଧାନସଭା ବସିବ ନାହିଁ। ସେହିପରି ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ଅବସରରେ ଛୁଟି ରହିବ।
ବିଧାନସଭାର ଏହି ଅଧିବେଶନରେ ରାଜ୍ୟର ସମସାମୟିକ ପ୍ରସଙ୍ଗ, ବଜେଟ୍ ସମ୍ବନ୍ଧୀୟ ବିଷୟ ଓ ଜନସ୍ୱାର୍ଥ ପ୍ରସଙ୍ଗ ଗୁରୁତ୍ୱ ପାଇବ ବୋଲି ଆଶା କରାଯାଉଛି।