ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପ୍ରଥମଥର ପାଇଁ ଶ୍ରୀମନ୍ଦିରର ତହବିଲ, ସମ୍ପତ୍ତି ଓ ଆୟର ବିସ୍ତୃତ ତଥ୍ୟ ସାର୍ବଜନୀନ କରିଛି। ଆର୍ଥିକ ସ୍ୱଚ୍ଛତା ଓ ଜବାବଦେହିତାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ସୂଚନା ପ୍ରକାଶ କରାଯାଇଥିବା ବେଳେ, ଶ୍ରୀମନ୍ଦିରର ସମ୍ପତ୍ତିକୁ ନେଇ ଭକ୍ତ ଓ ସାଧାରଣ ଲୋକଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଛି।
FDରେ ୧୮୧୧ କୋଟିରୁ ଅଧିକ
SJTA ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ, ୨୦୨୬ ଅଗଷ୍ଟ ୩୧ ସୁଦ୍ଧା ଶ୍ରୀମନ୍ଦିରର ତିନୋଟି ପ୍ରମୁଖ ତହବିଲରେ ମୋଟ ୧,୮୧୧.୦୯ କୋଟି ଟଙ୍କା ଫିକ୍ସଡ୍ ଡିପୋଜିଟ୍ (FD) ଭାବେ ଗଚ୍ଛିତ ରହିଛି। ଏଥିମଧ୍ୟରୁ ୧,୩୧୧.୦୯ କୋଟି ଟଙ୍କା ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଜମା ରହିଥିବା ବେଳେ, ରାଜ୍ୟ ସରକାର ପ୍ରଦାନ କରିଥିବା ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଶ୍ରୀମନ୍ଦିରର PL ଆକାଉଣ୍ଟରେ ସଂରକ୍ଷିତ ରହିଛି।
ବ୍ୟାଙ୍କ ଆକାଉଣ୍ଟରେ ୧୦୦ କୋଟିରୁ ଅଧିକ
ଫିକ୍ସଡ୍ ଡିପୋଜିଟ୍ ବ୍ୟତୀତ, ଶ୍ରୀମନ୍ଦିରର ସେଭିଂସ, କରେଣ୍ଟ ଓ ଫ୍ଲେକ୍ସି ବ୍ୟାଙ୍କ ଆକାଉଣ୍ଟରେ ୧୦୦.୭୦ କୋଟି ଟଙ୍କା ରହିଛି। ଏହି ରାଶିରୁ ମନ୍ଦିରର ଦୈନନ୍ଦିନ ପରିଚାଳନା, ସେବାପୂଜା ଓ ଅନ୍ୟାନ୍ୟ ଖର୍ଚ୍ଚ ବହନ କରାଯାଉଛି।
କେଉଁଠୁ ଆସେ ଶ୍ରୀମନ୍ଦିରର ଆୟ?
SJTA କହିଛି, ଶ୍ରୀମନ୍ଦିରର ପ୍ରମୁଖ ଆୟ ଉତ୍ସ ହେଉଛି—
- ଭକ୍ତଙ୍କ ଦାନ ଓ ହୁଣ୍ଡି ସଂଗ୍ରହ
- ମନ୍ଦିରର ଖଣି ଓ ପଥର ଖାଦାନ
- ଫିକ୍ସଡ୍ ଡିପୋଜିଟ୍ର ସୁଧ
- ଜମି ସମ୍ବନ୍ଧୀୟ କାରବାର
- ସରକାରୀ ଅନୁଦାନ
ପ୍ରଶାସନର ସୂଚନା ଅନୁଯାୟୀ, ପ୍ରତିଦିନ ହୁଣ୍ଡିରେ ସଂଗ୍ରହ ହେଉଥିବା ଟଙ୍କା ଗଣନା କରାଯାଇ ନୋଟିସ ବୋର୍ଡ ଓ ସୋସିଆଲ ମିଡିଆରେ ସାର୍ବଜନୀନ କରାଯାଉଛି।
ଡିଜିଟାଲ ହୁଣ୍ଡିରେ ୫୬.୭୦ ଲକ୍ଷ ଦାନ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଚଳିତ ବର୍ଷ ଜୁନ୍ ୧୫ରେ ଉଦ୍ଘାଟିତ ‘ଡିଜିଟାଲ ହୁଣ୍ଡି–ସମର୍ପଣ’ ପ୍ଲାଟଫର୍ମକୁ ଭକ୍ତଙ୍କ ଭଲ ସାରା ମିଳିଛି। ଅଗଷ୍ଟ ୩୧ ସୁଦ୍ଧା ଏହି ପ୍ଲାଟଫର୍ମ ମାଧ୍ୟମରେ ୫୬,୭୦,୭୦୫ ଟଙ୍କା ଦାନ ଆସିଛି। ଏହା ଦ୍ୱାରା ବିଶ୍ୱର ଯେକୌଣସି ସ୍ଥାନରୁ ଭକ୍ତମାନେ ଅନଲାଇନରେ ଦାନ କରିବା ସହ ରସିଦ ମଧ୍ୟ ଡାଉନଲୋଡ୍ କରିପାରୁଛନ୍ତି। ଶ୍ରୀମନ୍ଦିରର ଆର୍ଥିକ ସ୍ଥିତି ସାର୍ବଜନୀନ କରିବା ପଦକ୍ଷେପକୁ ସ୍ୱଚ୍ଛ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ମନେ କରାଯାଉଛି।