ପୁରୀ: ପୁରୀ ଜିଲ୍ଲାର ବହୁଚର୍ଚ୍ଚିତ ଅସ୍ତରଙ୍ଗ ମୋବାଇଲ୍ ଦୋକାନ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ଅସ୍ତରଙ୍ଗ ପୋଲିସ। ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କଠାରୁ ୪୦ଟି ଚୋରା ମୋବାଇଲ୍, ୧.୮୦ ଲକ୍ଷ ନଗଦ ଓ ୨ଟି ଲୁହା ରଡ୍ ଜବତ କରାଯାଇଛି।
ଅଗଷ୍ଟ ୧୭ ରାତିରେ ଅସ୍ତରଙ୍ଗ ବଜାରରେ ଥିବା ମହାନ୍ତି କମ୍ୟୁନିକେସନ୍ ଦୋକାନର ଶଟର ଭାଙ୍ଗି ଚୋରମାନେ ପ୍ରାୟ ୧ କୋଟିର ମୋବାଇଲ୍ ଓ ୧.୫୦ ଲକ୍ଷ ଟଙ୍କା ନେଇ ଫେରାର ହୋଇଥିଲେ। ଦୋକାନ ମାଲିକ ରାଜେଶ କୁମାର ମହାନ୍ତିଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।
ପୁରୀ ଏସ୍ପିଙ୍କ ନିର୍ଦ୍ଦେଶରେ ଗଠିତ ସ୍ୱତନ୍ତ୍ର ଟିମ୍ ସିସିଟିଭି ଫୁଟେଜ୍, ଟେକ୍ନିକାଲ୍ ସର୍ଭେଲାନ୍ସ ଓ ଗୁପ୍ତ ସୂଚନା ଆଧାରରେ ଉତ୍ତର ପ୍ରଦେଶର ଶାମଲି ଜିଲ୍ଲା ପର୍ଯ୍ୟନ୍ତ ପହଞ୍ଚି ଚୋର ସନ୍ଧାନ ପାଇଥିଲା।
ତଦନ୍ତରେ ଜଣାପଡ଼ିଛି, କାକଟପୁର–ଅସ୍ତରଙ୍ଗ ଅଞ୍ଚଳରେ ଯାତ୍ରୀ ପରିବହନ କରୁଥିବା ପରୱେଜ୍ ନୂଆ ଖୋଲିଥିବା ମୋବାଇଲ୍ ଦୋକାନ ବିଷୟରେ ତାଙ୍କ ବାପା ଜିସାନଙ୍କୁ ସୂଚନା ଦେଇଥିଲେ। ଏହାପରେ ଜିସାନ ଓ ସହଯୋଗୀ ଶୌକିନ୍ ଯୋଜନା କରି ଚୋରି କରିଥିଲେ। ପରେ ଚୋରା ମୋବାଇଲ୍ଗୁଡ଼ିକୁ ଉତ୍ତର ପ୍ରଦେଶକୁ ନେଇ ଅବ୍ଦୁଲ କାଦିରଙ୍କୁ ବିକ୍ରି କରାଯାଇଥିବା ପୋଲିସ କହିଛି।
ପୋଲିସ ଜିସାନ, ଶୌକିନ୍ ଓ ଅବ୍ଦୁଲ କାଦିରଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ପରୱେଜ୍ ଏବେ ବି ଫେରାର ଥିବାବେଳେ ତାଙ୍କୁ ଧରିବା ସହ ବାକି ଚୋରା ସାମଗ୍ରୀ ଉଦ୍ଧାର ପାଇଁ ଚଢ଼ାଉ ଜାରି ରହିଛି।