ଭୁବନେଶ୍ୱର : ବହୁ ଚର୍ଚ୍ଚିତ ACF ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀକୁ ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ ହୋଇଛି । ନିମ୍ନ ଅଦାଲତରେ ବ୍ୟକ୍ତିଗତ ହାଜିରାରୁ ମୁକ୍ତି ପାଇଁ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଆବେଦନ କରିଥିଲେ । ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି ।
ସୂଚନା ଥାଉକି ଏହି ଘଟଣା ସାରା ରାଜ୍ଯରେ ହଇଚଇ ଖେଳାଇଥିଲା। ୨୦୨୧ ଜୁଲାଇ ୧୧ ତାରିଖ ରାତିରେ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଅତି ସନ୍ଦେହଜନକ ଅବସ୍ଥାରେ ନିଜ କ୍ବାଟରରେ ପୋଡ଼ି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତା’ ପରଦିନ ତାଙ୍କର ମୃତ୍ୟୁ ହୋଇଥିଲା। ମାମଲାର ତଦନ୍ତ କରି ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ ଅଗ୍ନି ନିର୍ବାପନରେ ଅବହେଳା ଦଫାରେ ଚାର୍ଜସିଟ ଦାଖଲ କରିବା ସହ ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ କ୍ଲିନଚିଟ ଦେଇଥିଲା କ୍ରାଇମବ୍ରାଞ୍ଚ। ଏହାକୁ ଚ୍ୟାଲେଞ୍ଜ କରି ସୌମ୍ୟରଞ୍ଜନଙ୍କ ପରିବାର ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ମାମଲା ଦାୟର କରିଥିଲେ।
ଉକ୍ତ ଆବେଦନର ଶୁଣାଣି କରି ଏସଡିଜେଏମ କୋର୍ଟ ପାରଳାଖେମୁଣ୍ଡି, ଏହି ୩ ଜଣଙ୍କ ବିରୋଧରେ IPC ର ଦଫା ୩୦୨ (ହତ୍ୟା) ଏବଂ IPC ୧୨୦- ବି (ଅପରାଧିକ ଷଡଯନ୍ତ୍ର ରଚିବା)ରେ ମୋକଦ୍ଦମା ଚାଲିବା ନେଇ ନିର୍ଦ୍ଦେଶ ଦେଇଥିଲେ। ବାରମ୍ବାର ସମନ ସତ୍ତ୍ୱେ ହାଜର ନହେବାରୁ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ୨୦୨୩ ମସିହାରେ ଜାମିନ ବିହୀନ ଗିରଫ ପରୱାନା ମଧ୍ୟ ଜାରି ହୋଇଥିଲା। ଯାହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରି ଅଭିଯୁକ୍ତମାନେ ସାମୟିକ ଆଶ୍ୱସ୍ତି ପାଇଥିଲେ। ପୂର୍ବରୁ ପାରଳାଖେମୁଣ୍ଡି SDJM କୋର୍ଟ ବିଦ୍ୟାଭାରତୀଙ୍କ ଏହି ଆବେଦନକୁ ଖାରଜ କରିଦେଇଥିଲେ, ଯାହାକୁ ବିରୋଧ କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।