ଭୁବନେଶ୍ୱର : ରାଜ୍ୟ ସରକାରଙ୍କ 'ସିଏମ୍-କିଷାନ' ଯୋଜନାର ପଞ୍ଚମ କିସ୍ତି ଆସନ୍ତାକାଲି ସେପ୍ଟେମ୍ବର ୪ ତାରିଖରେ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରସ୍ଥିତ ଓୟୁଏଟି (OUAT) କୃଷି ଶିକ୍ଷା ସଦନରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ସହାୟତା ରାଶି ଶୁଭାରମ୍ଭ କରିବେ ।ଅର୍ଥରାଶି ଡିବିଟି (DBT) ମାଧ୍ୟମରେ ସିଧାସଳଖ ବ୍ୟାଙ୍କ ଖାତାକୁ ପଠାଯିବ।
ରାଜ୍ୟର ୪୧ ଲକ୍ଷରୁ ଅଧିକ କ୍ଷୁଦ୍ର, ନାମମାତ୍ର ଏବଂ ଭୂମିହୀନ ଚାଷୀ ପରିବାର ଏହାଦ୍ୱାରା ଉପକୃତ ହେବେ। ମୋଟ ୮୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଆର୍ଥିକ ସହାୟତା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ, ଯାହା ରାଜ୍ୟର ଚାଷୀମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ସହ କୃଷି କାର୍ଯ୍ୟରେ ପ୍ରୋତ୍ସାହିତ କରିବ।
ସେହିପରି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେବେ। ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସରକାରଙ୍କ ଅନ୍ୟ ମନ୍ତ୍ରୀ ଗଣ ଯୋଗଦେଇ ସିଏମ୍-କିସାନ କିସ୍ତି ପ୍ରଦାନ କରିବେ।
ତେବେ ଆପଣଙ୍କ ଟଙ୍କା ଆସିଛି କି ନାହିଁ ଜାଣିବା ପାଇଁ CM KISAN Portal କୁ ଯାଇ ଆଧାର କାର୍ଡ କିମ୍ବା ବ୍ୟାଙ୍କ ଖାତା ନମ୍ବର ଦ୍ୱାରା ଯାଞ୍ଚ କରିପାରିବେ।