ନୂଆଦିଲ୍ଲୀ: କକ୍ରୋଚ ଜନତା ପାର୍ଟୀର "ସ୍କୁଲ ଠିକ୍ କରୋ" ବା ସ୍କୁଲ ଠିକ କର ଅଭିଯାନକୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । ମାନ୍ୟବର ସର୍ବୋଚ୍ଚ ଅଦାଲତ ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶର କୌଣସି ବିଦ୍ୟାଳୟରେ ଅନଧିକୃତ ପ୍ରବେଶ ନିଷେଧ ନିଷ୍ପତ୍ତିକୁ କାଏମ ରଖିଛନ୍ତି । ସରକାରୀ ବିଦ୍ୟାଳୟରେ ବାହାର ବ୍ୟକ୍ତି, ପତ୍ରକାର, ୟୁଟ୍ୟୁବର୍, ସୋସିଆଲ୍ ମିଡ଼ିଆ ୟୁଜର୍ସ କିମ୍ବା କୌଣସି ଘରୋଇ ସଂସ୍ଥାର ପ୍ରତିନିଧିମାନେ ବିଦ୍ୟାଳୟରେ ଅନଧିକୃତ ପ୍ରବେଶ ପ୍ରତିବନ୍ଧକକୁ ହଟାଇବାକୁ ସ୍ପଷ୍ଟଭାବରେ ମନା କରିଦେଇଛନ୍ତି । ଏହାର ଅର୍ଥ କେହି ବି ବାହାର ସଦସ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ପ୍ରବେଶ କରିପାରିବେ ନାହିଁ ।
ପ୍ରିୟା ମିଶ୍ରଙ୍କ ଦ୍ୱାରା ଦାୟର ଏକ ଜନସ୍ୱାର୍ଥ ମାମଲାର ସୁପ୍ରିମକୋର୍ଟ ବିଚାରପତି ପିଏସ୍ ନରସିଂହା ଏବଂ ଆଲୋକ ଆରାଧେଙ୍କ ଖଣ୍ଡପୀଠ ଶୁଣାଣି କରିଛନ୍ତି । ଖଣ୍ଡପୀଠ ଶୁଣାଣିରେ କହିଛନ୍ତି, " ଭାରତୀୟ ସମ୍ବିଧାନର ଧାରା 32 ଅନୁଯାୟୀ ଦାୟର ଏହି ରିଟ୍ ପିଟିସନ୍ ଗ୍ରହଣ କରାଯିବ ନାହିଁ ।" କୋକ୍ରୋଚ୍ ଜନତା ପାର୍ଟି ଦ୍ୱାରା ପରିଚାଳିତ "ସ୍କୁଲ ଠିକ କର" ଅଭିଯାନକୁ ଦୃଷ୍ଟିରେ ରଖି ଏହି ଆବେଦନକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇଥିଲା । ଏହି ଆବେଦନରେ ମୁଖ୍ୟତଃ ଦୁଇଟି ରାଜ୍ୟର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରାଯାଇଥିଲା । ମାତ୍ର ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ନିଷ୍ପତିକୁ କାଏମ ରଖିଛନ୍ତି । ବିଦ୍ୟାଳୟର ବିନା ଅନୁମତିରେ କେହି ଫଟୋଗ୍ରାଫି, ଭିଡ଼ିଓ ଉତ୍ତୋଳନ, ସାକ୍ଷାତକାର ଏବଂ ଲାଇବ୍ ଷ୍ଟ୍ରିମିଂ କରିପାରିବେ ନାହିଁ । ଦୁଇଟି ରାଜ୍ୟରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । ଏହା ଉପରେ କୌଣସି ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସିଧାସଳଖ ମନା କରିଛନ୍ତି ।
ରାଜସ୍ଥାନର ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓ ଉତ୍ତର ପ୍ରଦେଶରେ ବିଭିନ୍ନ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ୱାରା ଯଥାକ୍ରମେ ଅଗଷ୍ଟ ୧୬ ଓ ୧୯ରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ସରକାରୀ ବିଦ୍ୟାଳୟ ପରିସରରେ ପ୍ରବେଶ କରିବା ପୂର୍ବରୁ ପ୍ରଧାନ ଶିକ୍ଷକଙ୍କ ପୂର୍ବ ଅନୁମତି ଏବଂ ଫଟୋଗ୍ରାଫି/ଭିଡିଓଗ୍ରାଫି ପାଇଁ ଲିଖିତ ଅନୁମତି ଆବଶ୍ୟକ ବୋଲି କୁହାଯାଇଥିଲା ।