ରାତିରେ ଟ୍ରେନରେ ଯାତ୍ରା କରିବା ସାଧାରଣତଃ ଅନେକ ଲୋକ ପସନ୍ଦ କରନ୍ତି। ସେଥିପାଇଁ ଯାତ୍ରୀମାନେ ରାତି ଟ୍ରେନ୍ ବାଛନ୍ତି, ଯାହାଫଳରେ ଶୋଇ ଶୋଇ ଆରାମରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ। କିନ୍ତୁ ଅନେକ ସମୟରେ ରାତି ଯାତ୍ରା ବେଳେ ନିଦରୁ ଉଠାଇ TTE ଟିକେଟ୍ ଯାଞ୍ଚ କରିବାକୁ ଚାଲିଆସନ୍ତି।
ଏଭଳି ପରିସ୍ଥିତିରେ ପ୍ରାୟତଃ ଲୋକଙ୍କ ମନରେ ପ୍ରଶ୍ନ ଉଠେ ଯେ, ରାତି ୧୦ଟା ପରେ TTE ଟିକେଟ୍ ଯାଞ୍ଚ କରିପାରିବେ କି ନାହିଁ? ସଠିକ୍ ସୂଚନା ଅଭାବରୁ ଭ୍ରମ ସୃଷ୍ଟି ହୋଇଥାଏ। ଟିକେଟ୍ ଯାଞ୍ଚକୁ ନେଇ ରେଳବାଇର ନିୟମ କ’ଣ କହୁଛି, ସେ ବିଷୟରେ ଏଠାରେ ଜାଣନ୍ତୁ।
TTE ଙ୍କ ପାଖରେ ଥାଏ ସମ୍ପୂର୍ଣ୍ଣ ବିବରଣୀ
ପ୍ରତ୍ୟେକ ଟ୍ରେନ୍ରେ TTE ଙ୍କ ପାଖରେ ଯାତ୍ରୀମାନଙ୍କର ସମ୍ପୂର୍ଣ୍ଣ ବିବରଣୀ ଥାଏ। ଏଥିରେ ବୋର୍ଡିଂ ଷ୍ଟେସନ୍ ଏବଂ ସମୟ ମଧ୍ୟ ଲେଖାଯାଇଥାଏ। ଯଦି କୌଣସି ଯାତ୍ରୀ ରାତି ୧୦ଟା କିମ୍ବା ତା’ପରେ ଟ୍ରେନ୍ରେ ଚଢ଼ନ୍ତି, ତେବେ TTE ଶାନ୍ତ ଭାବରେ ତାଙ୍କ ପାଖକୁ ଯାଇ ଟିକେଟ୍ ଦେଖିପାରିବେ, କାରଣ ତାଙ୍କର ବୋର୍ଡିଂ ସମୟ ହିଁ ରାତିର।
କିନ୍ତୁ ଯଦି କୌଣସି ଯାତ୍ରୀ ପୂର୍ବରୁ ଯାତ୍ରା କରୁଥାନ୍ତି ଏବଂ ରାତି ୧୦ଟା ପରେ ବିନା କୌଣସି କାରଣରେ ତାଙ୍କୁ ଉଠାଇ ଟିକେଟ୍ ମଗାଯାଏ, ତେବେ ଏହା ସମ୍ପୂର୍ଣ୍ଣ ଭୁଲ୍ ଏବଂ ରେଳବାଇ ନିୟମର ବିରୋଧୀ।
TTE କେବେ ଟିକେଟ୍ ଯାଞ୍ଚ କରିପାରିବେ ନାହିଁ?
ଯଦି ରାତି ୧୦ଟା ପରେ TTE ବିନା କୌଣସି କାରଣରେ ଆପଣଙ୍କୁ ହଇରାଣ କରନ୍ତି କିମ୍ବା ବାରମ୍ବାର ଟିକେଟ୍ ମାଗନ୍ତି, ତେବେ ଯାତ୍ରୀମାନେ ତୁରନ୍ତ ହେଲ୍ପଲାଇନ୍ ନମ୍ବର 139 ରେ ଅଭିଯୋଗ ଦାଖଲ କରିପାରିବେ। ଏହି ହେଲ୍ପଲାଇନ୍ ୨୪ ଘଣ୍ଟା ସକ୍ରିୟ ଥାଏ ଏବଂ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ।
ଯାତ୍ରୀମାନଙ୍କୁ ଆହୁରି ଭଲ ସୁବିଧା ଯୋଗାଇଦେବା ପାଇଁ ରେଳବାଇ ଏହି ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ଲାଗୁ କରିଥାଏ। ଅନେକ ଯାତ୍ରୀ ନିୟମ ବିଷୟରେ ଜାଣି ନଥିବାରୁ ନୀରବ ରହନ୍ତି, କିନ୍ତୁ ଏବେ ନିଜ ଅଧିକାରର ବ୍ୟବହାର କରି ନିଶ୍ଚିତ ଅଭିଯୋଗ କରନ୍ତୁ।
ସବୁବେଳେ ଟିକେଟ୍ ଦେଖାଇବାକୁ ପ୍ରସ୍ତୁତ ରୁହନ୍ତୁ
ରାତିରେ ଯାଞ୍ଚ ପ୍ରକ୍ରିୟା କେବଳ ନିୟମ ପାଳନ ନୁହେଁ, ବରଂ ସୁରକ୍ଷାର ଏକ ଅଂଶ। ଅନେକ ସମୟରେ ଯାଞ୍ଚ ନହେବା କାରଣରୁ ବିନା ଟିକେଟ୍ରେ ଯେକୌଣସି ବ୍ୟକ୍ତି ଟ୍ରେନ୍ରେ ଚଢ଼ିଯାଆନ୍ତି। ଏହାଦ୍ୱାରା ରେଳବାଇର କ୍ଷତି ହେବା ସହ ଅନ୍ୟ ଯାତ୍ରୀମାନେ ହଇରାଣ ହୋଇଥାନ୍ତି।
କେତେକ ସମୟରେ ଚୋରମାନେ ମଧ୍ୟ ଏହି ସମୟର ସୁଯୋଗ ନେଇ ସାମଗ୍ରୀ ଚୋରି କରିବାକୁ ଚେଷ୍ଟା କରନ୍ତି। ତେଣୁ ପେପର୍ ଟିକେଟ୍ ହେଉ କିମ୍ବା ଡିଜିଟାଲ୍, ଦେଖାଇବା ପାଇଁ ସବୁବେଳେ ପ୍ରସ୍ତୁତ ରୁହନ୍ତୁ।
ଯାତ୍ରୀଙ୍କ ସୁରକ୍ଷା ରେଳବାଇର ପ୍ରାଥମିକତା
ରାତି ଯାତ୍ରା ସମୟରେ ଟିକେଟ୍ ସବୁବେଳେ ସହଜରେ ମିଳିପାରୁଥିବା ସ୍ଥାନରେ ରଖନ୍ତୁ। TTE ଆସିଲେ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ଆପଣାଯାଏ। ନିୟମ ପାଳନ କରିବା ଦ୍ୱାରା ଯାତ୍ରା ଚିନ୍ତାମୁକ୍ତ ରହିଥାଏ।
ରାତି ଟ୍ରେନ୍ ଗୁଡ଼ିକରେ TTE ଙ୍କ ଭୂମିକା କେବଳ ଟିକେଟ୍ ଯାଞ୍ଚ ମଧ୍ୟରେ ସୀମିତ ନୁହେଁ। ସେମାନେ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦିଅନ୍ତି। ସଠିକ୍ ସୂଚନା ଦ୍ୱାରା ଦ୍ୱନ୍ଦ୍ୱ ଦୂର ହୁଏ ଏବଂ ଯାତ୍ରା ଅନୁଭବ ଆହୁରି ଭଲ ହୋଇଥାଏ। ପରବର୍ତ୍ତୀ ସମୟରେ ରାତି ଟ୍ରେନରେ ଯାତ୍ରା କରିବା ବେଳେ ଏହି କଥାଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ।