ନୂଆଦିଲ୍ଲୀ: ବିଗତ ତିନି ବର୍ଷ ମଧ୍ୟରେ ମଣିପୁର ହିଂସାରେ ୩୦୦ରୁ ଉର୍ଦ୍ଧ୍ୱ ପ୍ରାଣ ହରାଇଥିବାବେଳେ ପାଖାପାଖି ୫୦ ଜଣ ଏବେବି ନିଖୋଜ ଅଛନ୍ତି । ଗୁରୁବାର ମଣିପୁର ବିଧାନସଭାରେ ଏହି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ରାଜ୍ୟ ଗୃହମନ୍ତ୍ରୀ ଗୋବିନ୍ଦାସ କନ୍ଥୌଜାମ ।
ମଣିପୁର ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିବସରେ ଗୃହମନ୍ତ୍ରୀଙ୍କ ମଣିପୁର ହିଂସାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ରିପୋର୍ଟ ଦେଇଛନ୍ତି । ଗୃହମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ୩ ମେ ୨୦୨୩ ପରଠାରୁ ଏ ଯାବତ ହିଂସାରେ ୩୦୬ ଜଣ ପ୍ରାଣ ହରାଇଥିବାବେଳେ ୪୯ ଜଣ ନିଖୋଜ ଅଛନ୍ତି । ଖାଲି ସେତିକି ନୁହେଁ ଏହି ଦୀର୍ଘକାଳୀନ ହିଂସା ଯୋଗୁଁ ରାଜ୍ୟ ଭିତରେ ବହୁ ସଂଖ୍ୟାରେ ଲୋକଙ୍କ ବିସ୍ଥାପନ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘଟଣା ଘଟିଛି । ମୈତେଇ ସମ୍ପ୍ରଦାୟର ଅନୁସୂଚିତ ଜନଜାତି ମାନ୍ୟତା ଦାବିକୁ ବିରୋଧ କରି ପାହାଡ଼ି ଜିଲ୍ଲାଗୁଡ଼ିକରେ ଆୟୋଜିତ 'ଜନଜାତି ଏକତା ଶୋଭାଯାତ୍ରା' ହୋଇଥିଲା । ଏହା ପରେ ୩ ମଇ, ୨୦୨୩ ରେ ମୈତେଇ ଏବଂ କୁକି-ଜୋ ସମ୍ପ୍ରଦାୟ ମଧ୍ୟରେ ଜାତିଗତ ସଂଘର୍ଷ ଆରମ୍ଭ ହୋଇଥିଲା।
ମୈତେଇ ସମ୍ପ୍ରଦାୟ ରାଜ୍ୟ ଜନସଂଖ୍ୟାର ପ୍ରାୟ ୫୩ ପ୍ରତିଶତ ଏବଂ ମୁଖ୍ୟତଃ ଇମ୍ଫାଲ ଉପତ୍ୟକାରେ ବାସ କରନ୍ତି । ସେହିପରି ନାଗା ଏବଂ କୁକି ସମେତ ଆଦିବାସୀ ଜନସଂଖ୍ୟା ପ୍ରାୟ ୪୦ ପ୍ରତିଶତ ଏବଂ ଏମାନେ ମୁଖ୍ୟତଃ ପାହାଡ଼ି ଜିଲ୍ଲାଗୁଡ଼ିକରେ ବାସ କରନ୍ତି। ଏହି ଜାତିଗତ ସଂଘର୍ଷ ମଧ୍ୟରେ, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହ ଇସ୍ତଫା ଦେଇଥିଲେ । ଫଳରେ ଫେବୃଆରୀ ୧୩, ୨୦୨୫ରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା।
୪ ଫେବୃଆରୀ, ୨୦୨୬ ରେ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରାଯାଇଥିଲା । ବିଜେପି ନେତା ୟୁମନମ୍ ଖେମଚାନ୍ଦ ସିଂହଙ୍କ ନେତୃତ୍ୱରେ ନୂତନ ସରକାର ଗଠନ ହୋଇଥିଲା ।