ପୁରୀ : ଆଜି ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ଅବସରରେ ନନ୍ଦୋତ୍ସବ ଓ ବିଜୁଳି କନ୍ୟା ନୀତି ଅନୁଷ୍ଠିତ ହେବ ।
ଶୁକ୍ରବାର ମଧ୍ୟରାତ୍ରିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ନୀତି ଅନୁଷ୍ଠିତ ହୋଇଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଦେବକୀଙ୍କ ରୂପେ ଶ୍ରୀକୃଷ୍ଣଙ୍କୁ ଜନ୍ମ ଦେଇଥିଲେ । ରାତିରେ ଠାକୁରେ ସୁବର୍ଣ୍ଣ ଅଳଙ୍କାର ଲାଗି ହୋଇ ବେଶ ବଢ଼ିଥିଲା । ପରେ ଧୋ ପଖାଳ ନୀତି ହୋଇ ପୂଜା ହୋଇଥିଲା । ଏକ ରୁପା ପଦ୍ମ ପାଖୁଡ଼ାର ମଣ୍ଡଳ ଉପର ପାଖୁଡ଼ାମାନଙ୍କରେ ଦେବକୀ, ବସୁଦେବ, ନନ୍ଦ, ଯଶୋଦା, ଲକ୍ଷ୍ମୀ, ଉଗ୍ରସେନ, ବଳଭଦ୍ର, ଗାର୍ଗବ ଋଷି ଓ କୃଷ୍ଣଙ୍କ ନାମ ଲେଖାଯାଇଥିଲା । ଦକ୍ଷିଣଘରୁ ମଦନମୋହନଙ୍କୁ ଆଣି ସିଂହାସନ ଉପରେ ବିଜେ କରାଯାଇଥିଲା । ଦୁଇଜଣ ସେବକ ଲୁଗା ଘୋଡ଼ିହୋଇ ଦେବକୀ ଓ ବସୁଦେବଙ୍କ ବେଶ ଧାରଣ କରିଥିଲେ ଏହାପରେ ଚକଡ଼ାରେ ଶ୍ରୀକୃଷ୍ଣ ଜନ୍ମ ନୀତି ସମ୍ପନ୍ନ ହୋଇଥିଲା ।
ଆଜି ନୀତି ଅନୁଯାୟୀ ସକାଳେ ରାମ କୃଷ୍ଣ ଜଗମୋହନରେ ଥିବା ଦୋଳିରେ ବିଜେ ହେବେ । ସନ୍ଧ୍ୟାରେ ରାମକୃଷ୍ଣ ଓ ମଦନମୋହନ ପୁଣି ଖଟୁଲିରେ ବିଜେ ହେବେ । ତିନି ବିଗ୍ରହଙ୍କ ପୂଜାବିଧି ଅନୁଷ୍ଠିତ ହେବ । ଡମ୍ବରୁ ଉପରେ ଠାକୁରେ ବିଜେ ହେବେ । ଏହାପରେ ବିଜୁଳି କନ୍ୟା ନୀତି ହେବ । ଭଣ୍ଡାରଘରୁ ଦୁର୍ଗାଦେବୀଙ୍କୁ ଅଣାଯାଇ ମା’ ସୁଭଦ୍ରାଙ୍କ ବାଡ଼ରୁ ଆଜ୍ଞାମାଳ ଦିଆଯିବ । ଜଗମୋହନ ଆଗରେ ଖଟୁଲି ଉପରେ ବିଜେ ହେବେ ଦେବୀ । ସେଠାରେ ଯଥାବିଧି ନୀତି ହୋଇ ଠାକୁରାଣୀ ଭଣ୍ଡାର ଘରକୁ ବାହୁଡ଼ା ବିଜେ କରିବେ । ଭିତରଚ୍ଛ ମହାପାତ୍ର ନନ୍ଦରାଜା ରୂପରେ ଶ୍ରୀନହରକୁ ଯାଇ ଫେରିବା ପରେ ସ୍ନାନମଣ୍ଡପ ଉପରେ ବସିବେ । ଭରତିଆ ଗୌଡ଼ ପୁତ୍ର ଜନ୍ମ ହେବା ଖବର ନନ୍ଦରାଜାଙ୍କୁ ଦେବାର ପରମ୍ପରା ରହିଛି ।