ଭୁବନେଶ୍ୱର: ଗୁରୁ ଦିବସରେ ଯେତେବେଳେ ସାରା ଦେଶରେ ଶିକ୍ଷକଙ୍କୁ ସମ୍ମାନ ଜଣାଯାଉଥିଲା, ସେହି ସମୟରେ ଭୁବନେଶ୍ୱରର ଗାନ୍ଧୀମାର୍ଗରେ ଶୁଣିବାକୁ ମିଳିଲା “ଗୁରୁ ଗର୍ଜନ”। ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନରେ ହଜାର ହଜାର ଶିକ୍ଷକ, ଅଧ୍ୟାପକ, ଶିକ୍ଷା କର୍ମଚାରୀଙ୍କ ସହ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲ କମିଟି ସଦସ୍ୟମାନେ ମହାସମାବେଶରେ ସାମିଲ ହୋଇଥିଲେ।
ସମିତିର ଅଭିଯୋଗ ଅନୁସାରେ, ବିଭିନ୍ନ ଦାବି ନେଇ ଗତ ୨୦ ଦିନ ଧରି ଶିକ୍ଷକ ଓ କର୍ମଚାରୀମାନେ ଦିନ–ରାତି ଧାରଣାରେ ବସିଥିଲେ ମଧ୍ୟ ସରକାର କୌଣସି ସକାରାତ୍ମକ ପଦକ୍ଷେପ ନେଇନାହାନ୍ତି। ଏହାର ପ୍ରତିବାଦରେ ଗୁରୁ ଦିବସକୁ ଆନ୍ଦୋଳନର ଦିନ ଭାବେ ପାଳନ କରାଯାଇଛି।
କ’ଣ ରହିଛି ୪ ଦଫା ଦାବି?
- ନୂଆ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜ କର୍ମଚାରୀଙ୍କ ପାଇଁ ସର୍ଭିସ ସର୍ତ୍ତାବଳୀ ଲାଗୁ।
- ପେନସନ ଓ ଅବସରକାଳୀନ ସମସ୍ତ ସୁବିଧା ପ୍ରଦାନ।
- ଅନୁଦାନ ବ୍ୟବସ୍ଥାର ସ୍ଥାୟୀ ସମାଧାନ।
- ଅବସର ବୟସସୀମାକୁ ୬୦ରୁ ୬୨ ବର୍ଷ କରିବା।
ସମିତି କହିଛି, ୨୫ରୁ ୩୦ ବର୍ଷ ଧରି ଶିକ୍ଷାଦାନ କରୁଥିବା ଅନେକ ଶିକ୍ଷକ ଓ କର୍ମଚାରୀ ଏପର୍ଯ୍ୟନ୍ତ ଆର୍ଥିକ ସୁରକ୍ଷା ଓ ପେନସନ ଭଳି ମୌଳିକ ସୁବିଧାରୁ ବଞ୍ଚିତ। ସେହିପରି ଅବସର ନେଉଥିବା କର୍ମଚାରୀଙ୍କ ସ୍ଥାନରେ ନୂତନ ନିଯୁକ୍ତି ନହେବାରୁ ରାଜ୍ୟର ଅନେକ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଅଭାବ ଗୁରୁତର ରୂପ ନେଇଛି। ଶିକ୍ଷକ ସଂଗଠନ ସତର୍କ କରିଛି, ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ।