ଏଣିକି ଟ୍ରାଫିକ୍ ଜାମରେ ଲାଗିବ ବ୍ରେକ୍। ରାଜଧାନୀ ଭୁବନେଶ୍ୱରକୁ ଘେରିବ ୧୨୯ କିମିର ରିଙ୍ଗରୋଡ୍। ଭୁବନେଶ୍ୱରର ଟ୍ରାଫିକ୍ ବ୍ୟବସ୍ଥାକୁ ବଦଳାଇବାକୁ ସରକାର ମେଗା ପ୍ଲାନ୍ କରିଛନ୍ତି। ଆସୁଛି ଆଉଟର ରିଙ୍ଗରୋଡ୍। ଖୁବଶୀଘ୍ର ଆରମ୍ଭ ହେବ ଆଉଟର ରିଙ୍ଗରୋଡ୍ କାମ। ଏନେଇ ଆଜି ଲୋକସେବା ଭବନରେ ପୂର୍ତ୍ତମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ରିଙ୍ଗରୋଡ୍ର ଆଲାଇନ୍ମେଣ୍ଟ (Alignment) ମଧ୍ୟ ସ୍ଥିର ହୋଇଛି।
ରାଜଧାନୀରେ କମିବ ଟ୍ରାଫିକ ଯନ୍ତ୍ରଣା
ରାଜଧାନୀ ଭୁବନେଶ୍ୱରରେ ଯିବାଆସିବା କରିବା ବେଳେ ସବୁଠୁ ବଡ଼ ଚିନ୍ତା ପାଲଟେ ଟ୍ରାଫିକ୍ ଜାମ୍। ଖାଲି ଗଳିକନ୍ଦି ନୁହେଁ, ରାଜ୍ୟ ରାଜପଥରୁ ନେଇ ଜାତୀୟ ରାଜପଥ ସବୁଠି ମାଳ ମାଳ ଗାଡ଼ି ଓ ପ୍ରବଳ ଜାମ୍। ଏମିତିରେ ଏଥିରୁ ଖୁବଶୀଘ୍ର ମିଳିବ ମୁକ୍ତି। କାରଣ ଟ୍ରାଫିକ୍ ଟେନ୍ସନ୍ କମାଇବାକୁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ନିର୍ମାଣ ହେବାକୁ ଯାଉଛି ୧୨୯ କିମିର ଆଉଟର ରିଙ୍ଗରୋଡ୍।
କେଉଁ ଅଞ୍ଚଳକୁ ଘେରିବ ରିଙ୍ଗରୋଡ୍?
କ୍ୟାପିଟାଲ ରିଜିଅନ୍ ରିଙ୍ଗରୋଡ୍ରେ ଏହା ଯୋଡ଼ିବ ଅତିରିକ୍ତ ୯୦ କିଲୋମିଟର। ବାଘମାରୀରୁ ଚୌଦ୍ୱାର, ପୁରୀରୁ ପିପିଲି ଆଉ ଖୋର୍ଦ୍ଧାରୁ ଭୁବନେଶ୍ୱର। ଏହି ସବୁ ଅଞ୍ଚଳକୁ ଘେରି ତିଆରି ହେବ ରିଙ୍ଗରୋଡ୍ର ବଡ଼ ନେଟୱର୍କ; ଯାହା ଭିତରେ ରହିବ କଟକ, ଭୁବନେଶ୍ୱର, ପୁରୀ, ପିପିଲି, ଖୋର୍ଦ୍ଧା ଓ ଚୌଦ୍ୱାର ମ୍ୟୁନିସିପାଲିଟି ଅଞ୍ଚଳ। ଅର୍ଥାତ ସହର ଭିତରକୁ ନପସି ମଧ୍ୟ ବାହାରୁ ବାହାରୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିହେବ।
ଗୋଟିଏ ନୁହେଁ, ଏକାଧିକ ରାସ୍ତାର ମାଷ୍ଟରପ୍ଲାନ୍
ତେବେ ରିଙ୍ଗରୋଡ୍ ସହ ଆଉ ଦୁଇଟି ଏଲିଭେଟେଡ୍ ରାସ୍ତାକୁ ମଧ୍ୟ ମିଳିଛି ଗ୍ରୀନ୍ ସିଗ୍ନାଲ୍। କଳିଙ୍ଗ ଷ୍ଟୁଡିଓ ଛକରୁ ନୂଆଗାଁ ଏବଂ ରଘୁନାଥପୁରରୁ ତ୍ରିଶୁଳିଆ। ଏହି ଦୁଇ ଏଲିଭେଟେଡ୍ ରାସ୍ତା ପାଇଁ ମଧ୍ୟ ଖୁବ୍ଶୀଘ୍ର ଆରମ୍ଭ ହେବ ଟେଣ୍ଡର ପ୍ରକ୍ରିୟା। ଅକ୍ଟୋବର ପ୍ରଥମ ସପ୍ତାହ ପୂର୍ବରୁ ଏହି ସବୁ ରାସ୍ତା ପାଇଁ ଫାଉଣ୍ଡେସନ୍ ଷ୍ଟୋନ୍ (ଶିଳାନ୍ୟାସ) ପଡ଼ିବ ବୋଲି କହିଛନ୍ତି ମନ୍ତ୍ରୀ। ଖାଲି ଏତିକି ନୁହେଁ, ବାରଙ୍ଗ–ପଳାଶୁଣୀ, ସୁନ୍ଦରପଦା–ଜଟଣୀ ଭଳି ରାସ୍ତାର ଆଲାଇନ୍ମେଣ୍ଟ ମଧ୍ୟ ସ୍ଥିର ହୋଇଛି। ସେପଟେ ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାର ମାଟି ପରୀକ୍ଷା ଚାଲିଛି। ଖୁବ୍ଶୀଘ୍ର ଏହାର ଟେଣ୍ଡର ହେବ ବୋଲି କହିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।