ରାଉରକେଲାର ଡୁର୍ଗାପୁର ରିଜର୍ଭ ଫରେଷ୍ଟରେ କଥିତ ବେଆଇନ ଦଖଲ ବିରୋଧରେ ବଡ଼ ପଦକ୍ଷେପ ନେଇଛି ବନ ବିଭାଗ। ଶନିବାର ନିଲମ୍ବିତ BJP ଯୁବ ନେତା ପ୍ରକାଶ ପାସୱାନଙ୍କ ସହ ଜଡ଼ିତ ଥିବା କଥିତ ଅଫିସ୍କୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଛି।
ମାଜିଷ୍ଟ୍ରେଟ୍, ବରିଷ୍ଠ ପୁଲିସ ଅଧିକାରୀ ଓ ବନ କର୍ମଚାରୀଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କାର୍ଯ୍ୟ ହୋଇଥିଲା। ବନ ବିଭାଗ କହିଛି, ଏହି ନିର୍ମାଣ ଡୁର୍ଗାପୁର ରିଜର୍ଭ ଫରେଷ୍ଟ ମଧ୍ୟରେ ଥିଲା ଏବଂ ଅନୁମତିଠାରୁ ଅଧିକ ଜମି ଦଖଲ କରାଯାଇଥିଲା।
ରାଉରକେଲା ACF ଗଜେନ୍ଦ୍ର ପାଲ ସିଂହ ମାଥୁରଙ୍କ ସୂଚନା ଅନୁସାରେ, ପୂର୍ବରୁ ନୋଟିସ୍ ଜାରି କରାଯାଇଥିଲେ ମଧ୍ୟ ଅଗଷ୍ଟ ୩୧ ସୁଦ୍ଧା କେହି ମାଲିକାନା ଦାବି କରିନଥିଲେ କିମ୍ବା ଜବାବ ଦେଇନଥିଲେ। ପରେ DFOଙ୍କ ନିର୍ଦ୍ଦେଶରେ ବେଆଇନ କୋଠା ଭାଙ୍ଗିବା ସହ ସେଠାରୁ ମିଳିଥିବା ଦସ୍ତାବିଜ ଓ ସାମଗ୍ରୀ ଜବତ କରାଯାଇଛି।
୨୦୨୩ରେ କେବଳ ୦.୦୧ ଡେସିମଲ୍ ଜମିରେ ନିର୍ମାଣ ପାଇଁ ଅନୁମତି ମିଳିଥିଲା। କିନ୍ତୁ ନିର୍ମାଣ ୦.୦୧୫ ଡେସିମଲ୍ ପର୍ଯ୍ୟନ୍ତ ବଢ଼ିଥିବାରୁ ଅତିରିକ୍ତ ଅଂଶକୁ ବେଆଇନ ଦଖଲ ବୋଲି ବନ ବିଭାଗ ସ୍ପଷ୍ଟ କରିଛି।
ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୧୫ର ସର୍କିଟ୍ ହାଉସ ଅସ୍ତ୍ର ଜବତ ଘଟଣାରେ ପ୍ରକାଶ ପାସୱାନଙ୍କୁ ଅଭିଯୁକ୍ତଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗରେ ପୁଲିସ ଅଗଷ୍ଟ ୨୭ରେ ବିହାରର ସମସ୍ତିପୁରରୁ ଗିରଫ କରିଥିଲା। ବର୍ତ୍ତମାନ ସେ ଜେଲ୍ରେ ଅଛନ୍ତି।