କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ପୋଲିସ ଏକ ବଡ଼ ଗଞ୍ଜେଇ ଚାଲାଣର ପର୍ଦ୍ଦାଫାଶ କରିଛି। କନ୍ଧମାଳ–କଳାହାଣ୍ଡି ସୀମାନ୍ତ ଜାମୁଲି ଗାଁ ନିକଟ ଜଙ୍ଗଲରୁ ୧୬୦ ବସ୍ତା ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଓଜନ ୨.୮ ଟନ୍ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ବୋଲି ପୋଲିସ ସୂଚନା ଦେଇଛି।
ମାଓ ପ୍ରଭାବିତ ଅଞ୍ଚଳରେ ଚଢ଼ାଉ
ରାମପୁର ଥାନା ଆଇଆଇସି ସଞ୍ଜୁକ୍ତା ପ୍ରଧାନଙ୍କ ନେତୃତ୍ୱରେ ମୋହନଗିରି ଫାଣ୍ଡି ପୋଲିସ ମିଳିତ ଭାବେ ଡେଢାସୁଳି ପଞ୍ଚାୟତର ମାଓ ପ୍ରଭାବିତ ଆଦିବାସୀ ଅଞ୍ଚଳରେ ଚଢ଼ାଉ କରିଥିଲେ। ସେଠାରୁ ବିପୁଳ ପରିମାଣର ଗଞ୍ଜେଇ ଠାବ କରାଯାଇଥିଲା।
ଗ୍ରାମରକ୍ଷୀ ସମେତ ୪ ଜଣ ଗିରଫ
ଏହି ମାମଲାରେ ଗାଲନ ମାଝୀ, କିଜୁ ମାଝୀ, ନାଏବ ହରିଜନ ଓ ଜିତେନ୍ଦ୍ର ହରିଜନଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଗ୍ରାମରକ୍ଷୀ ଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଅନଲାଇନ୍ କୁରିଅର ଆଳରେ ଚାଲୁଥିଲା ଚାଲାଣ
ପୋଲିସର ସୂଚନା ଅନୁଯାୟୀ, ନିକଟରେ ମିଳିଥିବା ଗୁଇନ୍ଦା ତଥ୍ୟରୁ ଜଣାପଡ଼ିଥିଲା ଯେ, ଅନଲାଇନ୍ କୁରିଅର କମ୍ପାନୀର ଆଳରେ ଓଡ଼ିଶା ବାହାରକୁ ଗଞ୍ଜେଇ ଚାଲାଣ ହେଉଥିଲା। ତିନି ଦିନ ପୂର୍ବରୁ କଳାହାଣ୍ଡି–ବଲାଙ୍ଗିର ପୋଲିସ ମିଳିତ ଭାବେ ଏକ ରାକେଟର ପର୍ଦ୍ଦାଫାଶ କରି ଜଣେ ଅଭିଯୁକ୍ତକୁ ଧରିଥିଲା।
ଏତେ ବଡ଼ ଜବତ ପରେ ଅଞ୍ଚଳରେ କିପରି ଦୀର୍ଘଦିନ ଧରି ଗଞ୍ଜେଇ ଚାଷ ଓ ଚାଲାଣ ଚାଲିଥିଲା, ତାହାକୁ ନେଇ ପ୍ରଶ୍ନ ଉଠିଛି। ସମଗ୍ର ନେଟୱର୍କର ଖୋଳତାଡ଼ ପାଇଁ ତଦନ୍ତ ଜାରି ରହିଛି।