ଚେନ୍ନାଇ: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି, ଦୀର୍ଘ ଦିନ ହେବ ଜାତୀୟ ଦଳରୁ ବାହାରେ ରହିଛନ୍ତି। ତେବେ ଟିମ୍ ଇଣ୍ଡିଆକୁ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିବା ପାଇଁ ତାଙ୍କ ମନରେ ଏବେ ବି ପ୍ରବଳ ଉତ୍ସାହ ଓ ଭୋକ ରହିଛି ବୋଲି ପ୍ରକାଶ କରିଛନ୍ତି ଦୁଲୀପ ଟ୍ରଫିରେ ଇଷ୍ଟ ଜୋନ୍ (ପୂର୍ବାଞ୍ଚଳ)ର ଅଧିନାୟକତ୍ୱ କରୁଥିବା ଇଶାନ କିଶନ।
ଦୁଲୀପ୍ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ୍ ଆସନ୍ତା ସେପ୍ଟେମ୍ବର ୧୦ ତାରିଖରୁ ଚେନ୍ନାଇର ଏମ୍. ଏ. ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଇଷ୍ଟ ଜୋନ୍ ଏବଂ ସାଉଥ୍ ଜୋନ୍ ମଧ୍ୟରେ ଖେଳାଯିବ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ଇଶାନ କିଶନ ଶାମି,ଙ୍କ ସମର୍ପଣ ଓ କମ୍ବ୍ୟାକ୍ ପ୍ରଚେଷ୍ଟାକୁ ନେଇ ବଡ଼ ବ୍ୟାନ ଦେଇଛନ୍ତି।
ଶାମିଙ୍କ ଭିତରେ ରହିଛି ଉତ୍ସାହ
ଇଶାନ କିଶନ କହିଛନ୍ତି, "ମୋ ମତରେ ଶାମି ଭାଇଙ୍କ ଭିତରେ ଆଜି ବି ଦଳକୁ ଫେରିବାର ସେହି ପୁରୁଣା ଭୋକ ଓ ଆତ୍ମବିଶ୍ୱାସ ସ୍ପଷ୍ଟ ଦେଖାଯାଉଛି। ସେ କଠିନ ପରିଶ୍ରମ କରୁଛନ୍ତି ଏବଂ ପୁଣି ଥରେ ନୀଳ ଜର୍ସି ପିନ୍ଧି ଭାରତୀୟ ଦଳର ପ୍ରତିନିଧିତ୍ୱ କରିବାକୁ ଚାହୁଁଛନ୍ତି।
ଚାମ୍ପିୟନ୍ସ ଟ୍ରଫି ପରେ ବି ଦଳରୁ ବାହାରେ
୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ଶାମି ଭାରତ ପାଇଁ ସର୍ବାଧିକ ୱିକେଟ୍ ସଫଳତା ପାଇଥିଲେ। ସେ ମାତ୍ର ୫ଟି ମ୍ୟାଚ୍ରେ ୯ଟି ୱିକେଟ୍ ଅକ୍ତିଆର କରିଥିଲେ। ଏହା ସତ୍ତ୍ୱେ ତାଙ୍କୁ ଦଳରୁ ବାହାରେ ରଖାଯାଇଥିଲା। ଏହାପୂର୍ବରୁ ୨୦୨୩ ଦିନିକିଆ ବିଶ୍ୱକପ୍ରେ ସେ ମାତ୍ର ୭ଟି ମ୍ୟାଚ୍ରେ ୨୪ଟି ୱିକେଟ୍ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ।
୩୬ ବର୍ଷୀୟ ଏହି ତାରକା ବୋଲର ୨୦୨୩ ଜୁନରେ ଅଷ୍ଟ୍ରେଲିଆ ବିପକ୍ଷ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍ (WTC) ଫାଇନାଲରେ ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ତେବେ ଲଗାତାର ଘରୋଇ କ୍ରିକେଟ୍ରେ ଜବରଦସ୍ତ ବୋଲିଂ କରି ସେ ନିଜର ଦାବି ମଜବୁତ୍ କରୁଛନ୍ତି।
ମହମ୍ମଦ ଶମିଙ୍କ ଆନ୍ତର୍ଜାତୀୟ କ୍ୟାରିୟର
ଶାମି, ଭାରତ ପାଇଁ ଏପର୍ଯ୍ୟନ୍ତ ୬୪ଟି ଟେଷ୍ଟ, ୧୦୮ଟି ଦିନିକିଆ ଏବଂ ୨୫ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଟେଷ୍ଟରେ ୨୨୯ଟି, ଦିନିକିଆରେ ୨୦୬ଟି ଏବଂ ଟି-୨୦ ଆନ୍ତର୍ଜାତୀୟରେ ୨୭ଟି ୱିକେଟ୍ ତାଙ୍କ ନାମରେ ରହିଛି।