ସମ୍ବଲପୁର : ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇର ଶୁଭଲଗ୍ନ ଧାର୍ଯ୍ୟ ହୋଇଛି । ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ମଙ୍ଗଳବାର ସକାଳ ୯ ଟା ୪୦ରୁ ୯ଟା ୫୪ ମଧ୍ୟରେ ଶୁଭ ଲଗ୍ନ ନିର୍ଦ୍ଧାରଣ ହୋଇଛି | ଏହି ସମୟ ଭିତରେ ପଶ୍ଚିମ ଓଡିଶାର ଇଷ୍ଟଦେବୀ ମା’ ସମଲେଶ୍ବରୀଙ୍କଠାରେ ନବାନ୍ନ ଲାଗି କରାଯିବ। ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ । ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏହି ଲଗ୍ନ ନିର୍ଧାରଣ ହୋଇଛି । ଆଜି ଅପରାହ୍ନରେ ବ୍ରହ୍ମପୁରା ମନ୍ଦିର ପରିସରରେ ପଣ୍ଡିତ ମଣ୍ଡଳୀ ବସି ଲଗ୍ନ ମା’ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ର ଗଣନା କରିଛନ୍ତି ।
ପ୍ରତ୍ୟେକ ବର୍ଷ ନନ୍ଦୋତ୍ସବ ଅବସରରେ ଏଠାରେ ନୂଆଁଖାଇ ପାଇଁ ଶୁଭଲଗ୍ନ ଧାର୍ଯ୍ୟ କରା ଯିବାର ପରମ୍ପରା ରହିଛି l ଏହି ବୈଠକରେ ସରୋଜ ବଳ ପତି, ଶ୍ରୀମନ୍ତ କୁମାର ମିଶ୍ର, ପାର୍ଥସାରଥୀ ମିଶ୍ର, ପ୍ରାଣରଂଜନ ପଣ୍ଡା, ସୁଭେନ୍ଦ୍ର ପଣ୍ଡା, ସୂର୍ଯ୍ୟକୁମାର ମିଶ୍ର, ସୁଶାନ୍ତ ପୁରୋହିତ, ଅମରନାଥ ସୁପକାର ପ୍ରମୁଖ ଉପସ୍ଥିତ ଥିଲେ।
ଏହି ନୂଆଁଖାଇ ପର୍ବରେ ଚାଷୀ ତାର ଅମଳ କରିଥିବା ଶସ୍ୟକୁ ପ୍ରଥମେ ଇଷ୍ଟଦେବୀଙ୍କ ଠାରେ ଲାଗି କରିବା ପରେ ନିଜେ ବର୍ଷର ପ୍ରଥମ ଅମଳ ହୋଇଥିବା ନୂଆ ଶସ୍ୟକୁ ଆହରଣ କରିଥାଏ । ଏଥିରେ ସବୁ ନୂଆବସ୍ତ୍ର ପିନ୍ଧି ନୂଆ ଚାଉଳରେ ଖାଦ୍ୟ କରି ଚାଷୀ ତଥା ସାଧାରଣ ଲୋକ ଧୂମଧାମରେ ନୂଆଁଖାଇ ପର୍ବ ପାଳନ କରିଥାନ୍ତି ।