ଓଡ଼ିଶାର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ମାତା ଶୁଭା ନାୟକଙ୍କ ପରଲୋକ ଘଟିଛି। ଏନେଇ ମନ୍ତ୍ରୀ ନିଜ ସାମାଜିକ ଗଣମାଧ୍ୟମରେ ରାଜ୍ୟବାସୀଙ୍କୁ ଜଣାଇବା ସହ ମାତୃ ବିୟୋଗର ଦୁଃଖକୁ ଶବ୍ଦରେ ପ୍ରକାଶ କରିବା କଷ୍ଟକର ବୋଲି ଲେଖିଛନ୍ତି। ପୂଜନୀୟା ମାତାଙ୍କ ଦେହାନ୍ତ ପରେ ତାଙ୍କ ପରିବାର ଓ ପରିଜନଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି।
ମନ୍ତ୍ରୀଙ୍କ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ବାର୍ତ୍ତାରେ କୁହାଯାଇଛି ଯେ, ମା’ କେବଳ ଜନନୀ ନୁହେଁ, ସେ ଥିଲେ ଜୀବନର ପ୍ରଥମ ମାର୍ଗଦର୍ଶକ ଓ ଶ୍ରେଷ୍ଠ ଗୁରୁ। ତାଙ୍କର ଅପାର ସ୍ନେହ, ଆଦର୍ଶ, ଶିକ୍ଷା ଓ ଆଶୀର୍ବାଦ ହିଁ ଜୀବନର ପ୍ରକୃତ ପାଥେୟ ବୋଲି ଉଲ୍ଲେଖ କରାଯାଇଛି।
ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ମାତାଙ୍କ ବିୟୋଗକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ତଥା ସାଂସଦ ମନମୋହନ ସାମଲ ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ କୁମାର ମହାନ୍ତି, ଏବଂ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗଭୀର ଶୋକବ୍ୟକ୍ତ କରିଛନ୍ତି। ସମସ୍ତେ ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଏହି ଅସହ୍ୟ ଦୁଃଖ ସହିବା ପାଇଁ ମହାପ୍ରଭୁଙ୍କ ନିକଟରେ ଶକ୍ତି ପ୍ରାର୍ଥନା କରିଛନ୍ତି।