ଓଡ଼ିଶାରେ ଏଲପିଜି ସିଲିଣ୍ଡର କଳାବଜାରୀ ଓ ବେଆଇନ ମହଜୁଦ ବିରୋଧରେ ବଡ଼ ଧରଣର ଅଭିଯାନ ଚଳାଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ। ରାଜ୍ୟବ୍ୟାପୀ ଚଢ଼ାଉରେ ୮,୪୩୪ଟି ଏଲପିଜି ସିଲିଣ୍ଡର ଜବତ କରାଯାଇଥିବା ବେଳେ, କଳାବଜାରୀ ଅଭିଯୋଗରେ ୯ ଜଣଙ୍କୁ ଗିରଫ କରାଯାଇଛି।
ସେପ୍ଟେମ୍ବର ୫ରେ ବିଭାଗ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ, ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୩,୮୧୦ଟି ସ୍ଥାନରେ ଚଢ଼ାଉ କରିଥିଲା। ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ମହଜୁଦ କରି କଳାବଜାରୀ କରାଯାଉଥିବା ଅଭିଯୋଗରେ ଏହି ଅଭିଯାନ ଚାଲିଥିଲା।
ଚଢ଼ାଉ ପରେ ବିଭାଗ କଡ଼ା ଆଇନଗତ ପଦକ୍ଷେପ ମଧ୍ୟ ନେଇଛି। ୪୬ଟି ଏଫ୍ଆଇଆର୍ ରୁଜୁ ହୋଇଥିବା ବେଳେ, ଅତ୍ୟାବଶ୍ୟକ ସାମଗ୍ରୀ ଆଇନ (EC Act) ଅନୁସାରେ ୪୯୬ଟି ମାମଲା ରୁଜୁ କରାଯାଇଛି। ଏପର୍ଯ୍ୟନ୍ତ ୯ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।
ଖାଦ୍ୟ ଯୋଗାଣ ବିଭାଗ ସ୍ପଷ୍ଟ କରିଛି ଯେ, ଘରୋଇ ଉପଭୋକ୍ତାଙ୍କ ପାଇଁ ଥିବା ସବସିଡି ଏଲପିଜି ସିଲିଣ୍ଡରକୁ ବେଆଇନ ଭାବେ ବାଣିଜ୍ୟିକ ବଜାରକୁ ପଠାଇବାକୁ କୌଣସି ମୂଲ୍ୟରେ ବରଦାସ୍ତ କରାଯିବ ନାହିଁ। କଳାବଜାରୀ ରୋକିବା ଏବଂ ପ୍ରକୃତ ଉପଭୋକ୍ତାଙ୍କୁ ସିଲିଣ୍ଡର ଯୋଗାଣ ସୁନିଶ୍ଚିତ କରିବା ପାଇଁ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ବିଭାଗ କହିଛି।