ଭୁବନେଶ୍ୱର : ଆସନ୍ତାକାଲି ସୋମବାର ଅର୍ଥାତ୍ ସେପ୍ଟେମ୍ବର ୭ ତାରିଖ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣର ଶେଷ ଦିନ ରହିଛି । ଅଗଷ୍ଟ ମାସ ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ସେପ୍ଟେମ୍ବର ୫ ତାରିଖ ରାତି ୧୧ଟା ସୁଦ୍ଧା ମୋଟ ୨୧ ଲକ୍ଷ ୪୦ ହଜାର ୬୮୨ ଚାଷୀ ନାମ ପଞ୍ଜୀକରଣ କରି ସାରିଛନ୍ତି । ଏନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଫୁଡ୍ ଓଡ଼ିଶା ପୋର୍ଟାଲରେ ସୂଚନା ଦିଆଯାଇଛି ।
ପ୍ରାଥମିକ କୃଷି ସମବାୟ ସମିିତି(ପାକ୍ସ), ବୃହତ୍ ଆଦିବାସୀ ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପସ) ଓ ପାଣି ପଞ୍ଚାୟତରେ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ କରାଯାଉଛି ।
ମିଳିଥିବା ସୂଚନା ମୁତାବକ ଏଯାବତ ବରଗଡ଼ ଜିଲ୍ଲାରେ ସର୍ବାଧିକ ୧ ଲକ୍ଷ ୮୩ ହଜାର, ଗଞ୍ଜାମରେ ୧ ଲକ୍ଷ ୭୪ ହଜାର, ବାଲେଶ୍ୱରରେ ୧ଲକ୍ଷ ୨୦ ହଜାର, କଳାହାଣ୍ଡିରେ ୧ଲକ୍ଷ ୩୪ ହଜାର, ବଲାଙ୍ଗୀରରେ ୧ଲକ୍ଷ ୧୮ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି । ରାଜ୍ୟର ୨୯୬୧ଟି ପାକ୍ସ ଓ ୪ଟି ପାଣି ପଞ୍ଚାୟତରେ ଏହି ପଞ୍ଜିକରଣ କାର୍ଯ୍ୟ ଚାଲିଛି । ତେବେ କନ୍ଧମାଳ ଜିଲ୍ଲାରେ ମାତ୍ର ୪୩୫୩ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ଗଜପତିରେ ୧୫ ହଜାର ୭୭୨ଜଣ ଚାଷୀ ପଞ୍ଜୀକରଣ କରିଥିବା ବିଭାଗୀୟ ପୋର୍ଟାଲରୁ ସୂଚନା ରହିଛି ।
ପୂର୍ବରୁ ଏହାର ଶେଷ ତାରିଖ ଅଗଷ୍ଟ ୩୧ ଥିଲା, କିନ୍ତୁ ବନ୍ୟା, ପ୍ରବଳ ବର୍ଷା ଏବଂ ସର୍ଭର ସମସ୍ୟା ଯୋଗୁଁ ଚାଷୀଙ୍କ ସୁବିଧା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଏହି ଅବଧିକୁ ଆଉ ୭ ଦିନ ବଢ଼ାଇଥିଲେ।