ନୂଆଦିଲ୍ଲୀ : ରବିବାର ଅପରାହ୍ଣରେ ରାଜଧାନୀ ଦିଲ୍ଲୀରେ ଘଟିଛି ବଡ଼ ଅଘଟଣ। ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ୫ମହଲା କୋଠା ହଠାତ୍ ଭୁଶୁଡ଼ି ପଡ଼ିଛି। ଘଟଣା ପରେ କୋଠାର ଭଗ୍ନାବଶେଷ ତଳେ ଅନେକ ଲୋକ ଫସିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଜୋରଦାର ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନା ଅନୁସାରେ ଆଜି ପ୍ରାୟ ଦିନ ୧ଟା ୩୦ରୁ ୧ଟା ୩୪ ମିନିଟ୍ ମଧ୍ୟରେ ଘଟଣା ସମ୍ପର୍କରେ ଦିଲ୍ଲୀ ଅଗ୍ନିଶମ ବିଭାଗ ଓ ପୋଲିସକୁ ଖବର ମିଳିଥିଲା। ଖବର ପାଇବା ପରେ ଅଗ୍ନିଶମ ବିଭାଗର ଏକାଧିକ ଗାଡ଼ି, ପୋଲିସ ଏବଂ ଅନ୍ୟ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରୁ ମିଳୁଥିବା ସୂଚନା ଅନୁସାରେ, ଭୁଶୁଡ଼ି ପଡ଼ିଥିବା କୋଠାଟିରେ ଛାତ୍ରମାନଙ୍କ ପାଇଁ PG ଚାଲୁଥିଲା। ତେଣୁ ଭଗ୍ନାବଶେଷ ତଳେ ଏକାଧିକ ଲୋକ ଫସିଥିବା ଆଶଙ୍କା ବଢ଼ିଛି। ତେବେ ଭଗ୍ନାବଶେଷ ଭିତରୁ ଏଯାବତ ୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି। ଆହୁରି ଅନେକ ଫସିଥିବା ଆଶଙ୍କା କରି ଚାଲିଛି ସର୍ଚ୍ଚ ଅପରେସନ୍ । ଉଦ୍ଧାରକାରୀ ଦଳ ଭଗ୍ନାବଶେଷକୁ ସାବଧାନତାର ସହ ହଟାଇ ଫସିଥିବା ଲୋକଙ୍କୁ ଖୋଜୁଛନ୍ତି। ଘଟଣାସ୍ଥଳରେ ଦିଲ୍ଲୀ ଅଗ୍ନିଶମ ବିଭାଗ ସହ ପୋଲିସ, NDRF ଏବଂ ଅନ୍ୟ ଜରୁରୀକାଳୀନ ଦଳ ମୁତୟନ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ରେଖାଗୁପ୍ତା ମଧ୍ଯ ପହଞ୍ଚି ଘଟଣା ସମ୍ପର୍କରେ ଅବଗତ ହୋଇଛନ୍ତି।
ତେବେ ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆହତମାନଙ୍କ ଆରୋଗ୍ୟ କାମନା କରିବା ସହ ଗୋଆ କାର୍ଯ୍ୟକ୍ରମ ବାତିଲ କରିଛନ୍ତି।