କେନ୍ଦ୍ରାପଡ଼ା ଡ୍ରେନେଜ୍ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି। ଶନିବାର ଠିକାଦାରଙ୍କ ବକେୟା ବିଲ୍ ପାସ୍ କରାଇବା ପାଇଁ ଲାଞ୍ଚ ନେଇ ଫେରୁଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାର୍ଶାଘାଇ ଛକ ନିକଟରେ କାବୁ କରିଥିଲା । ସେ ନିଜ ସରକାରୀ ଗାଡ଼ିରେ କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ସମୟରେ ତାଙ୍କଠାରୁ ୩ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯାଇଥିଲା। ଏହାପରେ କେନ୍ଦ୍ରାପଡ଼ାସ୍ଥିତ ତାଙ୍କ ବାସଭବନରେ ଚଢ଼ାଉ କରାଯାଇ ଆଉ ୪ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଥିଲା। ଭିଜିଲାନ୍ସ ସୂଚନା ଅନୁଯାୟୀ ତାଙ୍କଠାରୁ ସର୍ବମୋଟ ୭ ଲକ୍ଷ ୧୫ ହଜାର ଟଙ୍କା ଜବତ ହୋଇଛି ।
ଭିଜିଲାନ୍ସ ବିଭାଗ ଦ୍ୱାରା କେନ୍ଦ୍ରାପଡ଼ା, ଭୁବନେଶ୍ୱର, କଟକ, ଯାଜପୁର, ଅନୁଗୁଳ ଏବଂ ଢେଙ୍କାନାଳ (କାମାକ୍ଷାନଗର) ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ବିଭାଗ ଦ୍ବାରା ଏକକାଳୀନ ଚଢ଼ାଉ କରାଯାଇ ବିପୁଳ ସମ୍ପତ୍ତି ଠାବ କରାଯାଇଛି। ବିଭିନ୍ନ ବ୍ୟାଙ୍କ ଓ ସଞ୍ଚୟ ଖାତାରେ ପ୍ରାୟ ୬୩ ଲକ୍ଷ ଟଙ୍କାର ଜମା ରହିଛି। ଅନୁପମାଙ୍କ ଭୁବନେଶ୍ୱରରେ ୧ଟି ଫ୍ଲାଟ୍, କାମାକ୍ଷାନଗରରେ ଏକ ମାର୍କେଟ କମ୍ପ୍ଲେକ୍ସରେ ସିମେଣ୍ଟ ଓ ରଡ୍ ଗୋଦାମ ଏବଂ ବଲାଙ୍ଗୀରରେ ଏକ ଦୋକାନ ରହିଛି। ଭୁବନେଶ୍ୱର ଉପକଣ୍ଠରେ ୧ଟି, ଅନୁଗୁଳରେ ୩ଟି ଏବଂ ଢେଙ୍କାନାଳରେ ୧ଟି ସମେତ ମୋଟ ୫ଟି ଦାମୀ ପ୍ଲଟ୍ ରହିଛି।
ସୂଚନା ଥାଉକି ଅନୁପମା ସାହୁ ୨୦୦୩ ମସିହାରେ ଅନୁଗୁଳ ଜଳସେଚନ ବିଭାଗରେ ମାତ୍ର ୪,୦୦୦ ଟଙ୍କା ମାସିକ ଦରମାରେ ଜଣେ କନିଷ୍ଠ ଯନ୍ତ୍ରୀ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ପଦୋନ୍ନତି ପାଇ ସେ ସହକାରୀ ନିର୍ବାହୀ ଯନ୍ତ୍ରୀ ହୋଇଥିଲେ ଓ ଚଳିତ ବର୍ଷ ମାର୍ଚ୍ଚ ମାସରେ କେନ୍ଦ୍ରାପଡ଼ା ଡ୍ରେନେଜ୍ ଡିଭିଜନକୁ ବଦଳି ହୋଇ ଆସିଥିଲେ। ଜବତ ହୋଇଥିବା ବିପୁଳ ସମ୍ପତ୍ତିର କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ କଟକ ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି ।