ନୂଆଦିଲ୍ଲୀ: ଦୁବାଇରେ ଚାଲିଥିବା ୨୦୨୬ ମହିଳା ଏସିଆ କପ୍ରେ ଶନିବାର ଭାରତୀୟ ମହିଳା ଦଳ ପାକିସ୍ତାନକୁ ୭ ୱିକେଟ୍ରେ ସୋଚନୀୟ ଭାବେ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିସାରିଛି। ତେବେ ଏହି ଜବରଦସ୍ତ ବିଜୟ ପରେ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ଏକ ନୂଆ ବିବାଦକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭାରତୀୟ ଦଳ ଏସିଆ କପ୍ ଚାମ୍ପିୟନ୍ ହେଲେ, ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଅଧ୍ୟକ୍ଷ ତଥା ଏସିଆନ୍ କ୍ରିକେଟ୍ କାଉନସିଲ୍ (ACC) ସଭାପତି ମୋହସିନ୍ ନକଭୀଙ୍କ ହାତରୁ ଟ୍ରଫି ଗ୍ରହଣ କରିବ କି ନାହିଁ, ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।
ପୁରୁଷ ଦଳର ନିଷ୍ପତ୍ତି ପରେ ବଢ଼ିଛି ସସପେନ୍ସ
ସୂଚନାଯୋଗ୍ୟ ଯେ, ୨୦୨୫ ପୁରୁଷ ଏସିଆ କପ୍ରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଟାଇଟଲ୍ ଜିତିଥିଲା। ମାତ୍ର ମୋହସିନ୍ ନକଭୀଙ୍କ ହାତରୁ ଟ୍ରଫି ନେବାକୁ ସିଧାସଳଖ ମନା କରିଦେଇଥିଲା ଟିମ୍ ଇଣ୍ଡିଆ। କେବଳ ସେତିକି ନୁହେଁ, ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବା ମଧ୍ୟ ଭାରତୀୟ ଦଳ ବନ୍ଦ କରିଦେଇଥିଲା। ଏହି ଘଟଣା ପରେ ମୋହସିନ୍ ନକଭୀ ଟ୍ରଫି ଧରି ଫେରିଯାଇଥିଲେ ଏବଂ ଗୋଟିଏ ବର୍ଷ ବିତିଯାଇଥିଲେ ବି ସେହି ଟ୍ରଫି ଏବେ ଯାଏଁ ଏସିଆନ୍ କ୍ରିକେଟ୍ କାଉନସିଲ୍ ମୁଖ୍ୟାଳୟରେ ରହିଛି।
୧୩ ସେପ୍ଟେମ୍ବର ଫାଇନାଲ୍ରେ କ’ଣ ହେବ?
ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ଦୁବାଇରେ ମହିଳା ଏସିଆ କପ୍ର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଏସିସି ସଭାପତି ଭାବେ ମୋହସିନ୍ ନକଭୀ ଏହି ଫାଇନାଲ୍ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ମହିଳା ଦଳ ଯେଉଁଭଳି ଫର୍ମରେ ଅଛି, ଦଳ ଟ୍ରଫି ଜିତିବାର ସମ୍ଭାବନା ସବାଧିକ। ତେବେ ପୁରୁଷ ଦଳ ଭଳି ମହିଳା ଟିମ୍ ଇଣ୍ଡିଆ ମଧ୍ୟ ମୋହସିନ୍ ନକଭୀଙ୍କ ହାତରୁ ଟ୍ରଫି ନେବାକୁ ବାରଣ କରିବ ନା ଟ୍ରଫି ଗ୍ରହଣ କରିବ, ତାହା ଉପରେ ଏବେ ସାରା କ୍ରିକେଟ୍ ଜଗତର ନଜର ରହିଛି।