କଟକ: "ଆମେ ଏଠାରେ କାହିଁକି ଅଛୁ? ଆମେ ଏଠାରେ କ’ଣ କରୁଛୁ? ଆମେ ଅନ୍ୟମାନଙ୍କଠାରୁ କେତେ ଭିନ୍ନ?" କଟକ ଇଣ୍ଡୋର ଷ୍ଟାଡିୟମ୍ରେ ଆୟୋଜିତ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିବସରେ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଏହିପରି ପ୍ରଶ୍ନ ପଚାରି ଆତ୍ମସମୀକ୍ଷା କରିବାକୁ ଆହ୍ୱାନ ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି. ଏଲ୍. ସନ୍ତୋଷ। ଦୀର୍ଘ ଦିନ ପରେ ଓଡ଼ିଶାରେ ଦଳ କ୍ଷମତାସୀନ୍ ହୋଇଥିବା ବେଳେ ଆଗାମୀ ଦିନରେ ସରକାର କିପରି ଲମ୍ବା ସମୟ ଧରି ଶାସନରେ ରହିବ ଏବଂ ନିର୍ବାଚନ ପୁନରାବୃତ୍ତି (ରିପିଟ୍) କରିବ, ସେ ନେଇ ସେ ଦଳୀୟ ନେତୃତ୍ୱକୁ ମାର୍ଗଦର୍ଶନ କରିଛନ୍ତି।
"ମନରୁ ଅହଙ୍କାର ଭୁଲି ସେବା ଭାବନା ରଖ"
ସଂଗଠନ ମହାମନ୍ତ୍ରୀ ବି. ଏଲ୍. ସନ୍ତୋଷ ନିଜ ଉଦ୍ବୋଧନରେ କହିଛନ୍ତି ଯେ, ଯେଉଁ ସବୁ ରାଜ୍ୟରେ ବିଜେପି କ୍ଷମତାକୁ ଆସିଛି, ସେଠାରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସରକାର ରିପିଟ୍ ହୋଇଛି। ତେଣୁ କ୍ଷମତା ପାଇବା ପରେ ମନରେ ଆଦୌ ଅହଙ୍କାର ଆଣିବା ଉଚିତ୍ ନୁହେଁ। ବିଧାୟକ, ସାଂସଦ କିମ୍ବା ମନ୍ତ୍ରୀ ହେଲେ ମଧ୍ୟ ପ୍ରଥମ ଦାୟିତ୍ୱ ହେଉଛି ସମାଜର ତଳସ୍ତରରେ ରହୁଥିବା ଗରୀବ ଓ ନିଷ୍ପେସିତ ଲୋକଙ୍କ ସେବା କରିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆଗାମୀ ନିର୍ବାଚନଗୁଡ଼ିକରେ ଦଳ ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏହି ଅବସରରେ ସେ କେତେକ ମନ୍ତ୍ରୀଙ୍କ କାର୍ଯ୍ୟଶୈଳୀରେ ସୁଧାର ଆଣିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
'Planning in Advance' ଉପରେ ଗୁରୁତ୍ୱ
ଆଗାମୀ ପଞ୍ଚାୟତ, ପୌର ଏବଂ ସମବାୟ ନିର୍ବାଚନଗୁଡ଼ିକୁ ଆଖିଆଗରେ ରଖି ପୂର୍ବପ୍ରସ୍ତୁତି ଏବଂ ସୂକ୍ଷ୍ମ କାର୍ଯ୍ୟଯୋଜନା ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି। ନିର୍ବାଚନୀ ସଫଳତା ପାଇଁ ଆଜିଠାରୁ ସମ୍ପୂର୍ଣ୍ଣ ସୂକ୍ଷ୍ମ, ନିଖୁଣ ଓ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବାକୁ ସେ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି।
ବିରୋଧୀଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ପାରିତ
କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ ଅନେକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଚିଠା ପ୍ରସ୍ତାବ ଏବଂ ବିରୋଧୀଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ପାରିତ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟ ପାଇଁ ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଥିବା ବେଳେ କଂଗ୍ରେସ ଏବଂ ବିଜେଡିର ଅପପ୍ରଚାରକୁ କଡ଼ା ନିନ୍ଦା କରାଯାଇଛି।
ଦେଶର ଜିଡିପି (GDP) ଅଭିବୃଦ୍ଧି ୭.୮ ପ୍ରତିଶତ ଥିବା ବେଳେ ରାହୁଲ ଗାନ୍ଧୀ ଏବଂ ବିରୋଧୀ ଦଳଗୁଡ଼ିକ ମନଗଢ଼ା କାହାଣୀ ତିଆରି କରି ଏହାକୁ ୨.୬ ପ୍ରତିଶତ ବୋଲି ଦର୍ଶାଉଛନ୍ତି। ପୂର୍ଣ୍ଣାଙ୍ଗ 'ବନ୍ଦେ ମାତରମ୍'କୁ ବିରୋଧ, ମହିଳା ଆରକ୍ଷଣ ବିଲ୍କୁ ବିରୋଧ, 'ଦିମାଗୀ ନକ୍ସଲ' ଶବ୍ଦକୁ ନେଇ କଂଗ୍ରେସର ଭ୍ରାମାତ୍ମକ ପ୍ରଚାର ଏବଂ ଏମଏମଡିଆର (MMDR) ସଂଶୋଧନକୁ ନେଇ ବିଜେଡିର ଅପପ୍ରଚାର ବାବଦରେ ବୈଠକରେ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି।
ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସରୁ ଆରମ୍ଭ ହୋଇ ମାସେ ବ୍ୟାପୀ ଚାଲିବାକୁ ଥିବା "ସେବା ସଂକଳ୍ପ ଅଭିଯାନ"କୁ ରାଜ୍ୟର ପ୍ରତ୍ୟେକ ତଳସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି।c