ଭୁବନେଶ୍ବର : କୁଆଖାଇ ନଦୀକୁ ଡେଇଁ ନିଖୋଜ ହେଲେ ଡେଲିଭରୀ ବୟ । ଏଭଳି ଘଟଣା ଘଟିଛି ଭୁବନେଶ୍ବର ଟଙ୍କପାଣି ସେତୁ ନିକଟରେ । ନିଖୋଜ ଯୁବକ ଜଣକ ହେଲେ ଭବାନୀ ଖଟେଇ ।
ସୂଚନା ଅନୁସାରେ ଭବାନୀ ଓରଫ ଗୁଡୁ ଭୁବନେଶ୍ବରରେ ଅନଲାଇନ୍ ଡେଲିଭରୀ ବୟ ଭାବେ କାମ କରନ୍ତି । ତାଙ୍କ ଘର ଲିଙ୍ଗରାଜ ଥାନା ଅନ୍ତର୍ଗତ ପୁରୁଣା ଭୁବନେଶ୍ୱର ହରଚଣ୍ଡୀ ସାହିରେ । ଗତକାଲି ରାତି ପ୍ରାୟ ୧୧ ଟା ସମୟରେ ଭବାନୀ ନିଜ ସ୍କୁଟିରେ ଟଙ୍କପାଣି ସାଇମନ୍ଦିର ନିକଟକୁ ଆସି ଟଙ୍କପାଣି ସେତୁରୁ ନଦୀକୁ ଡେଇଁ ପଡ଼ିଥିଲେ ।
ସେତୁ ଉପରେ ଯାଉଥିବା ଲୋକ ପାଟି କରିବାରୁ ଅନ୍ୟମାନେ ସେଠାରେ ରୁଣ୍ଡ ହୋଇ ଯାଇଥିଲେ । ପରେ ଭବାନୀଙ୍କ ପରିବାର ଓ ସାଙ୍ଗମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଖବରପାଇ ବାଲିଅନ୍ତା ଓ କଳ୍ପନା ଅଗ୍ନିଶମ ବାହିନୀ ପହଞ୍ଚି ନଦୀରେ ଖୋଜାଖୋଜି କରିଥିଲେ । ହେଲେ ଭବାନୀଙ୍କର ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳି ପାରିନାହିଁ । ପ୍ରେମ ବ୍ୟାପାରକୁ ନେଇ ଏଭଳି କାଣ୍ଡ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି ।