ରାୟଗଡ଼ା : ଗୁଣୁପୁର ସହରର ପୁରୁଣା ବସ୍ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ ବଡ଼ ଧରଣର ଚୋରି ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ମନ୍ଦିରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଲୁଟ୍ କରିଥିବା ଅଭିଯୋଗ ହୋଇଛି।ଚୋରମାନେ ମନ୍ଦିରରୁ ସୁନା ରୁପା ଅଳଙ୍କାର ଏବଂ ଦାନବାକ୍ସ ଭାଙ୍ଗି ନଗଦ ଟଙ୍କା ଲୁଟି ନେଇଛନ୍ତି । ଏହାସହ ମନ୍ଦିର ପରିସରରେ ଥିବା ଲଳିତା ଦେବୀଙ୍କ ମନ୍ଦିରରୁ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ରହିଛି।
ସେବାୟତଙ୍କ ଅଭିଯୋଗ ଅନୁଯାୟୀ ପ୍ରାୟ ୨୦ ଗ୍ରାମରୁ ଅଧିକ ସୁନା ଏବଂ ୪ କିଲୋଗ୍ରାମରୁ ଊର୍ଦ୍ଧ୍ୱ ରୁପା ଅଳଙ୍କାର ଚୋରି ହୋଇଛି। ଚୋରି କରିବା ପୂର୍ବରୁ ଦୁର୍ବୃତ୍ତମାନେ ମନ୍ଦିରରେ ଲାଗିଥିବା ସିସିଟିଭିର ତାର କାଟି ଦେଇଥିବା ଅଭିଯୋଗ ହୋଇଛି। ଏହାସହ ସିସିଟିଭିରର ହାର୍ଡ ଡିସ୍କ ମଧ୍ୟ ଖୋଲି ନେଇଯାଇଛନ୍ତି ଦୁର୍ବୃତ୍ତ। ଫଳରେ ଚୋରି ଘଟଣାର ଫୁଟେଜ୍ ମଧ୍ୟ ହାତରେ ଲାଗିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଖବର ପାଇ ଘଟଣାସ୍ଥଳରେ ଗୁଣୁପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରିରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଧରିବା ସହ ଲୁଟ୍ ସାମଗ୍ରୀ ଉଦ୍ଧାର ପାଇଁ ପୋଲିସ ତଦନ୍ତ ଜାରି ରଖିଛି।