କଟକ : ଗଣେଶ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୂଜା କମିଟିର ସଦସ୍ୟ ଓ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ଉପସ୍ଥିତିରେ ଚଳିତ ବର୍ଷର ପୂଜା ଓ ଭସାଣି ଉତ୍ସବ ପାଇଁ କେତେକ କଡ଼ା ନିୟମ ଓ ଗାଇଡଲାଇନ୍ ଜାରି କରାଯାଇଛି।
ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ପେଣ୍ଡାଲକୁ ସର୍ବାଧିକ ୬ଟି ସାଉଣ୍ଡ ବକ୍ସ ଏବଂ ବିସର୍ଜନ ସମୟରେ ୪ଟି ଟ୍ରଲି ବ୍ୟବହାର କରିବାକୁ ଅନୁମତି ମିଳିବ। ଲେଜର ଲାଇଟ୍ ଓ ଡିଜେ ବ୍ୟବହାର ଉପରେ କଟକଣା ଲଗାଯାଇଛ। ଦରଘା ବଜାର ପୂଜା ମଣ୍ଡପରୁ ସିଟି ହସ୍ପିଟାଲ ପର୍ଯ୍ୟନ୍ତ ଅଞ୍ଚଳକୁ 'ସାଇଲେଣ୍ଟ ଜୋନ୍' (ଶାନ୍ତ ଅଞ୍ଚଳ) ଭାବେ ଘୋଷଣା କରାଯାଇଛି ଯେଉଁଠାରେ ବିସର୍ଜନ ସମୟରେ କୌଣସି ସଙ୍ଗୀତ ବଜାଇବାକୁ ଅନୁମତି ମିଳିବ ନାହିଁ। ବିସର୍ଜନ ଉତ୍ସବ ସେପ୍ଟେମ୍ବର ୨୦ ଓ ୨୭ ତଥା ଅକ୍ଟୋବର ୪ ଓ ୧୧ ତାରିଖ ଏହି ଚାରୋଟି ରବିବାର ଦିନ ଅନୁଷ୍ଠିତ ହେବ।
ସେହିପରି ଜୋରଜବରଦସ୍ତି ଚାନ୍ଦା ଆଦାୟ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟୋଲ୍ ଫ୍ରି ହେଲ୍ପଲାଇନ୍ ଜାରି କରାଯିବ। ବିକୃତ ଗଣେଶ ମୂର୍ତ୍ତି ଉପରେ କଟକଣା ବଳବତ୍ତର ରହିବ। ନିୟମ ଉଲ୍ଲଂଘନ କରୁଥିବା ମଣ୍ଡପ ସମ୍ମୁଖରେ ଶାନ୍ତି କମିଟି ପକ୍ଷରୁ ପିକେଟିଂ କରାଯିବ।
ଭୁବନେଶ୍ୱର ଓ କଟକର ବିଭିନ୍ନ ରାସ୍ତାରେ ଯେପରି ଟ୍ରାଫିକ୍ ସମସ୍ୟା ସୃଷ୍ଟି ନହୁଏ, ସେଥିପାଇଁ ସ୍ୱତନ୍ତ୍ର ରୁଟ୍ ପ୍ରଣୟନ କରାଯାଇଛି। ସର୍ଟ ସର୍କିଟ୍ ବା ଅଗ୍ନିକାଣ୍ଡ ଭଳି ଦୁର୍ଘଟଣା ଏଡ଼ାଇବା ପାଇଁ ପ୍ରତ୍ୟେକ ମଣ୍ଡପରେ ଭଲ କ୍ୱାଲିଟିର ବିଦ୍ୟୁତ ତାର ବ୍ୟବହାର କରିବା ସହ ଅଗ୍ନିଶମ ନିର୍ବାପକ ଯନ୍ତ୍ର (Fire Extinguisher) ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସହରରେ ଶାନ୍ତି, ସଂହତି ଓ ଭାଇଚାରା ବଜାୟ ରଖିବା ସହ ସୋସିଆଲ ମିଡିଆରେ କୌଣସି ପ୍ରକାର ଗୁଜବ ପ୍ରତି ଧ୍ୟାନ ନଦେବାକୁ କମିଶନରେଟ୍ ପୋଲିସ ଜନସାଧାରଣଙ୍କୁ ଅପିଲ୍ କରିଛି।