ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ (ଥାଲାପତି ବିଜୟ)ଙ୍କ ସୁରକ୍ଷାରେ ବଡ଼ଧରଣର ତ୍ରୁଟି ଦେଖିବାକୁ ମିଳିଛି। ଚେନ୍ନାଇ ସ୍ଥିତ ସଚ୍ଚିବାଳୟ ନିକଟରେ ମୁଖ୍ୟମନ୍ତ୍ରୀଙ୍କ କନଭୟ ବା କାରକେଡ୍କୁ ଅବରୋଧ କରିବାକୁ ଏକ ଦମ୍ପତି ହଠାତ୍ ସୁରକ୍ଷା ବଳୟ ଭେଦ କରି ଗାଡ଼ି ସାମ୍ନାକୁ ଚାଲିଆସିଥିଲେ। ତେବେ ସୁରକ୍ଷାକର୍ମୀମାନେ ତତ୍ପରତା ପ୍ରକାଶ କରି ଉଭୟଙ୍କୁ କାବୁ କରିବା ସହ ଥାନାକୁ ଉଠାଇ ନେଇଛନ୍ତି।
ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କ କାରକେଡ୍ ସଚ୍ଚିବାଳୟ ଆଡ଼କୁ ଯାଉଥିବା ସମୟରେ ଏହି ଅଘଟଣ ଘଟିଥିଲା। ଜଣେ ବ୍ୟକ୍ତି ଏବଂ ତାଙ୍କ ପତ୍ନୀ ହଠାତ୍ ପୋଲିସ ବ୍ୟାରିକେଡ୍ ଏବଂ ସୁରକ୍ଷା ବଳୟକୁ ଡେଇଁ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ନିକଟକୁ ଦୌଡ଼ି ଯାଇଥିଲେ। ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଅଭିଯୋଗ ପତ୍ର ଦେବା ପାଇଁ ଏଭଳି ଚରମ ପଦକ୍ଷେପ ନେଇଥିଲେ ବୋଲି ଜଣାପଡ଼ିଛି। ମାତ୍ର କର୍ତ୍ତବ୍ୟରତ ସୁରକ୍ଷାକର୍ମୀମାନେ ସାଙ୍ଗେ ସାଙ୍ଗେ ସେମାନଙ୍କୁ ଅଟକାଇ ପଚରାଉଚରା ପାଇଁ ଥାନାକୁ ଉଠାଇ ନେଇଛନ୍ତି।
ପୋଲିସ ହେପାଜତ ମୃତ୍ୟୁ ମାମଲା ସହ କାରଣ ଯୋଡ଼ି ହୋଇଛି?
ପ୍ରାଥମିକ ତଥ୍ୟରୁ ଜଣାପଡ଼ିଛି ଯେ, ଅଟକ ରହିଥିବା ଏହି ଦମ୍ପତି ଗତ ମାର୍ଚ୍ଚ ମାସରେ ଶିବଗଙ୍ଗା ଜିଲ୍ଲାର ମାନାମାଦୁରାଇ ଅଞ୍ଚଳରେ ଘଟିଥିବା ଏକ ପୋଲିସ ହେପାଜତ ମୃତ୍ୟୁ ଘଟଣାର ମୃତ ଯୁବକଙ୍କ ପିତାମାତା ଅଟନ୍ତି। ସେମାନେ ପୁଅର ମୃତ୍ୟୁ ପାଇଁ ନ୍ୟାୟ ଦାବି କରି ଦୀର୍ଘଦିନ ହେବ ପ୍ରତିବାଦ କରିଆସୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ନ୍ୟାୟ ଭିକ୍ଷା କରିବାକୁ ସେମାନେ ଏଭଳି ଉଦ୍ୟମ କରିଥିଲେ ବୋଲି ପୋଲିସ କହିଛି।
Also Read: ଋଷର ତେଲ କିଣିଲେ କି ନ କିଣିଲେ, ବନ୍ଦ ହେବନି ୟୁକ୍ରେନ ଯୁଦ୍ଧ; ଆମେରିକାକୁ ଜୟଶଙ୍କରଙ୍କ କଡା ଜବାବ