ନେପାଳରେ ୨୬ ଅଗଷ୍ଟ ୨୦୨୬ରେ ଆସିଥିବା ଆକସ୍ମିକ ବନ୍ୟା (Flash Flood) ପରେ ନିଖୋଜ ହୋଇଥିବା ଲୋକଙ୍କ ଚିହ୍ନଟ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଭାରତ ସରକାର ଏହି ଅତିରିକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତରେ ରହୁଥିବା ନିଖୋଜ ଲୋକଙ୍କ ପ୍ରଥମ-ଶ୍ରେଣୀ ଜୈବିକ ସମ୍ପର୍କୀୟ (First-degree biological relatives)ଙ୍କ DNA ପ୍ରୋଫାଇଲିଂ ପାଇଁ ଗୃହ ମନ୍ତ୍ରଣାଳୟ (MHA) ଦେଶର ସରକାରୀ ଫୋରେନ୍ସିକ୍ ପ୍ରୟୋଗଶାଳାଗୁଡ଼ିକର ସେବା ଉପଲବ୍ଧ କରାଇବାକୁ ନିଷ୍ପତ୍ତି ନେଇଛି।
ଏହି ସୁବିଧା ଅଧୀନରେ ବାପା, ମା', ପୁଅ, ଝିଅ କିମ୍ବା ଭାଇ-ଭଉଣୀଙ୍କ ଜୈବିକ ନମୁନା ନେଇ DNA ପ୍ରୋଫାଇଲ୍ ପ୍ରସ୍ତୁତ କରାଯାଇପାରିବ। ନେପାଳରେ ମିଳିଥିବା ଅଜ୍ଞାତ ଶବଗୁଡ଼ିକର DNA ପ୍ରୋଫାଇଲ୍ ସହିତ ମିଳାଇବା ପାଇଁ ଏହି DNA ପ୍ରୋଫାଇଲ୍ଗୁଡ଼ିକର ବ୍ୟବହାର କରାଯିବ।
ଏହି ପ୍ରୟୋଗଶାଳାଗୁଡ଼ିକରେ ହୋଇପାରିବ DNA ପ୍ରୋଫାଇଲିଂ: ଭାରତରେ ରହୁଥିବା ନିଖୋଜ ବ୍ୟକ୍ତିଙ୍କ ପ୍ରଥମ-ଶ୍ରେଣୀ ଜୈବିକ ସମ୍ପର୍କୀୟମାନେ ନିମ୍ନଲିଖିତ କେନ୍ଦ୍ରଗୁଡ଼ିକରେ ନିଜର ଜୈବିକ ନମୁନା ଦେଇପାରିବେ –
• କେନ୍ଦ୍ରୀୟ ଫୋରେନ୍ସିକ୍ ବିଜ୍ଞାନ ପ୍ରୟୋଗଶାଳା (CFSLs)
• ରାଜ୍ୟ ଫୋରେନ୍ସିକ୍ ବିଜ୍ଞାନ ପ୍ରୟୋଗଶାଳା (SFSLs)
• ରାଷ୍ଟ୍ରୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ବବିଦ୍ୟାଳୟ (NFSU)ର ପ୍ରୟୋଗଶାଳାଗୁଡ଼ିକ
• DNA ପ୍ରୋଫାଇଲିଂ ସୁବିଧା ଥିବା NABL-ସ୍ବୀକୃତିପ୍ରାପ୍ତ ପ୍ରୟୋଗଶାଳାଗୁଡ଼ିକ
ଗୃହ ମନ୍ତ୍ରଣାଳୟ ଏହି ସୁବିଧା ଓ ସମ୍ପର୍କିତ କେନ୍ଦ୍ରଗୁଡ଼ିକର ତାଲିକା ସହିତ ଏକ 'ବାୟୋଲୋଜିକାଲ୍ ସାମ୍ପଲ୍ କଲେକ୍ସନ୍ ଫର୍ମ' (Biological Sample Collection Form) ମଧ୍ୟ ଉପଲବ୍ଧ କରାଇଛି, ଯାହାଦ୍ୱାରା ନମୁନା ସଂଗ୍ରହ ଓ DNA ପ୍ରୋଫାଇଲ୍ ପ୍ରସ୍ତୁତ କରିବା ପ୍ରକ୍ରିୟା ସହଜ ହୋଇପାରିବ।
ନେପାଳ ପୁଲିସର ପରାମର୍ଶରେ ଅଟୋସୋମାଲ୍ STR ପ୍ରୋଫାଇଲିଂ: ନେପାଳ ପୁଲିସର ପରାମର୍ଶ ଅନୁଯାୟୀ, ଚିହ୍ନଟ ପ୍ରକ୍ରିୟା ପାଇଁ ଅଟୋସୋମାଲ୍ ଏସ୍ଟିଆର୍ (Autosomal STR) ଡିଏନ୍ଏ ପ୍ରୋଫାଇଲିଂ କରାଯାଇପାରିବ। ତେବେ ଏଥିପାଇଁ ନେପାଳ କର୍ତ୍ତୃପକ୍ଷଙ୍କ ଦ୍ବାରା ନିର୍ଦ୍ଧାରିତ କାରିଗରୀ ମାନଦଣ୍ଡ ପାଳନ କରିବାକୁ ହେବ। ଏହି ସମ୍ବନ୍ଧରେ ନେପାଳ ପୁଲିସର ହେଲ୍ପଲାଇନ୍ ନମ୍ବର ହେଉଛି: +977 9841 6160 95।
ନେପାଳ ପୁଲିସକୁ ପଠାଯିବ DNA ପ୍ରୋଫାଇଲ୍: DNA ପ୍ରୋଫାଇଲ୍ ପ୍ରସ୍ତୁତ ହେବା ପରେ, ନେପାଳ କର୍ତ୍ତୃପକ୍ଷ ମାଗିଥିବା ପ୍ରାରମ୍ଭିକ ସୂଚନା ସହିତ ଏହାକୁ dnacodis@nepalpolice.gov.np ଇମେଲ୍ରେ ପଠାଯାଇପାରିବ। ସେଠାରେ ଅଜ୍ଞାତ ଶବଗୁଡ଼ିକରୁ ମିଳିଥିବା DNA ପ୍ରୋଫାଇଲ୍ ସହିତ ଏହାକୁ ମିଳାଯିବ। ସମନ୍ୱୟ ଓ ସହଯୋଗ ପାଇଁ DNA ପ୍ରୋଫାଇଲ୍ର ଏକ ନକଲ କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସକୁ ମଧ୍ୟ eoikathmandufloodsupport@gmail.com ଇମେଲରେ ପଠାଯାଇପାରିବ।
କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ୧ ସେପ୍ଟେମ୍ବର ୨୦୨୬ରେ ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତି ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି, ଯେଉଁଥିରେ ନେପାଳର ୨୬ ଅଗଷ୍ଟ ଆକସ୍ମିକ ବନ୍ୟା ବିପନ୍ନଙ୍କ ଶବ ଚିହ୍ନଟ ପ୍ରକ୍ରିୟା ସମ୍ପର୍କିତ ସୂଚନା ଦିଆଯାଇଥିଲା।