ଭାରତୀୟ ବାୟୁସେନାର ସମରଭ୍ୟାସ ପାଇଁ ଭାରତ ସରକାର ପାକିସ୍ତାନ ସୀମାନ୍ତ ଦକ୍ଷିଣ ଭାଗରେ ଏୟାରସ୍ପେସ୍ ରିଜର୍ଭ କରିବାକୁ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ନିୟମ ଅନୁସାରେ ରାଜସ୍ଥାନର ଜୈସଲମେର, ବାଡ଼ମେର, ଫଲୋଦୀ ଏବଂ ଯୋଧପୁର ଆଖପାଖ ବାୟୁସୀମାରେ ନିର୍ଦ୍ଧାରିତ ସମୟ ପାଇଁ ସାଧାରଣ ବିମାନ ଚଳାଚଳ ଉପରେ କଟକଣା ରହିବ। NOTAM (Notice to Airmen) ଅନୁଯାୟୀ, ଏହି ଏୟାରସ୍ପେସ୍ ରିଜର୍ଭେସନ୍ ୨୧ ସେପ୍ଟେମ୍ବରରୁ ୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ପାକିସ୍ତାନର ଜ୍ୟାକବାବାଦ, ସୁକ୍କୁର, ନବାବଶାହ, ଭୋଲାରୀ, କରାଚୀ, ମୁଲତାନ୍, ରହିମ୍ ୟାର୍ ଖାନ୍ ଏବଂ ବହାବଲପୁରର ସମ୍ମୁଖୀନ ହେଉଥିବା ଭାରତୀୟ ସୀମାନ୍ତ ଅଞ୍ଚଳରେ ବାୟୁସେନାର ଯୁଦ୍ଧାଭ୍ୟାସ ଚାଲିବ।
ସମରଭ୍ୟାସ ପାଇଁ ନିର୍ଦ୍ଧାରିତ ବାୟୁସୀମାର ଉପର ଭାଗ ବିଭିନ୍ନ ଅଞ୍ଚଳରେ ୨୭ ହଜାର ଫୁଟ୍ରୁ ୪୯ ହଜାର ଫୁଟ୍ ପର୍ଯ୍ୟନ୍ତ ରଖାଯାଇଛି। ଅର୍ଥାତ୍ ଏହି ଅଞ୍ଚଳରେ ଅତ୍ୟଧିକ ଉଚ୍ଚତାରେ ମଧ୍ୟ ବାୟୁସେନାର ଯୁଦ୍ଧବିମାନଗୁଡ଼ିକ ସକ୍ରିୟ ରହିବେ।
ଏହି ତାରିଖ ଓ ସମୟରେ ଏୟାରସ୍ପେସ୍ ରିଜର୍ଭ ରହିବ:
• ୨୧ରୁ ୨୪ ସେପ୍ଟେମ୍ବର: ପୂର୍ବାହ୍ନ ୯ଟାରୁ ଅପରାହ୍ନ ୧ଟା ଏବଂ ରାତି ୮ଟାରୁ ୧୨ଟା
• ୨୮ରୁ ୩୦ ସେପ୍ଟେମ୍ବର: ପୂର୍ବାହ୍ନ ୯ଟାରୁ ଅପରାହ୍ନ ୧ଟା ଏବଂ ରାତି ୮ଟାରୁ ୧୨ଟା
• ୧ ଅକ୍ଟୋବର: ପୂର୍ବାହ୍ନ ୯ଟାରୁ ଅପରାହ୍ନ ୧ଟା ଏବଂ ରାତି ୮ଟାରୁ ୧୨ଟା
• ୫ରୁ ୭ ଅକ୍ଟୋବର: ପୂର୍ବାହ୍ନ ୯ଟାରୁ ଅପରାହ୍ନ ୧ଟା ଏବଂ ରାତି ୮ଟାରୁ ୧୨ଟା
(ଏହି ସମୟସୀମା ଭାରତୀୟ ସମୟ (IST) ଅନୁସାରେ ଦିଆଯାଇଛି। ମୂଳ NOTAMରେ ସମୟ UTCରେ ଉଲ୍ଲେଖ ରହିଛି।)
ପାକିସ୍ତାନ ସୀମା ଆତି ନିକଟରେ ହେବ ଅଭ୍ୟାସ:
ଏୟାରସ୍ପେସ୍ ରିଜର୍ଭେସନ୍ ଅଞ୍ଚଳଟି ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାର ଦକ୍ଷିଣ ଅଞ୍ଚଳରେ ଅବସ୍ଥିତ। ଏଥିରେ ନାଲ୍-ବିକାନେର, ଜୈସଲମେର, ବାଡ଼ମେର ଓ ଉତ୍ତରଲାଇ ଆଦି ସୀମାନ୍ତ ଅଞ୍ଚଳର ବାୟୁସୀମା ଶାମିଲ ଅଛି। ଅପରପକ୍ଷରେ ପାକିସ୍ତାନର ଜ୍ୟାକବାବାଦରୁ ଆରମ୍ଭ କରି କରାଚୀ ଓ ବହାବଲପୁର ପର୍ଯ୍ୟନ୍ତ ଅଞ୍ଚଳ ଏହାର ଅତି ନିକଟତର ଅଟେ।