ଇସ୍ରୋର ଆଡଭାନ୍ସଡ ଅର୍ଥ ଅବଜରଭେସନ୍ ସ୍ପେସକ୍ରାଫ୍ଟ, ଯାହା ଜିଓ-ଅରବିଟରେ ଭାରତର ପ୍ରଥମ ଇମେଜିଂ ସାଟେଲାଇଟ୍, ଶୁକ୍ରବାର ଦିନ ସ୍ପେସପୋର୍ଟରୁ GSLV ରକେଟ୍ ମାଧ୍ୟମରେ ସଫଳତାର ସହ ଲଞ୍ଚ କରାଯାଇଛି। ଇସ୍ରୋ ସୂଚନା ଦେଇଛି ଯେ, EOS-05 ସାଟେଲାଇଟ୍ ସ୍ପେସପୋର୍ଟରୁ ଉଡ଼ାଣ ଭରିବାର ପ୍ରାୟ ୧୮ ମିନିଟ୍ ପରେ ନିର୍ଦ୍ଧାରିତ ସବ୍-ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର ଅରବିଟରେ ସଫଳତାର ସହ ସ୍ଥାପିତ ହୋଇଛି। ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନ କହିଛନ୍ତି, "ମୋତେ ଏହା ଜଣାଇ ଅତ୍ୟନ୍ତ ଖୁସି ଲାଗୁଛି ଯେ GSLV-F17 ରକେଟ୍ ‘ଆଡଭାନ୍ସଡ୍ ଅର୍ଥ ଅବଜରଭେସନ ସାଟେଲାଇଟ 05’ (ଜିଓ-ଇମେଜିଂ ସାଟେଲାଇଟ)କୁ ସଫଳତାର ସହ ଓ ସଠିକ୍ ଭାବେ ନିଜ ନିର୍ଦ୍ଧାରିତ କକ୍ଷପଥ (ଅରବିଟ)ରେ ସ୍ଥାପିତ କରିଛି।"
ସେ ଆହୁରି କହିଛନ୍ତି ଯେ, ଥରେ ‘ଅର୍ଥ ଅବଜରଭେସନ ସାଟେଲାଇଟ 05’ କକ୍ଷପଥରେ କାର୍ଯ୍ୟ କରିବା ଆରମ୍ଭ କରିଦେଲେ, ଏହା ଜିଓ-ଅରବିଟ୍ରୁ ଭାରତର ପ୍ରଥମ ସମର୍ପିତ ଇମେଜିଂ ସାଟେଲାଇଟ ପାଲଟିବ ଏବଂ ଆମ ଦେଶ ପାଇଁ ଗୁରୁତ୍ବପୂର୍ଣ୍ଣ ସାମରିକ/ରଣନୀତିକ ତଥ୍ୟ ଉପଲବ୍ଧ କରାଇବ।
ଇସ୍ରୋ ଲଞ୍ଚ କଲା ଇମେଜିଂ ସାଟେଲାଇଟ୍:
ପ୍ରକୃତରେ ଇସ୍ରୋର ଆଡଭାନ୍ସଡ୍ ଅର୍ଥ ଅବଜରଭେସନ୍ ସ୍ପେସକ୍ରାଫ୍ଟ (ପୃଥିବୀ ଉପରେ ନଜର ରଖୁଥିବା ମହାକାଶଯାନ) EOS-05, ଯାହା ଦେଶର ପ୍ରଥମ ଜିଓସିଙ୍କ୍ରୋନସ୍ ଅରବିଟ୍ ପାଇଁ ତିଆରି ହୋଇଥିବା ଇମେଜିଂ ସାଟେଲାଇଟ୍, ଆଜି ଲଞ୍ଚ କରାଯାଇଛି। ଏହି ସାଟେଲାଇଟ୍ ରିଅଲ-ଟାଇମ୍ ଚିତ୍ର ଦେବ ଏବଂ କୃଷି ଓ ବିପର୍ଯ୍ୟୟ ପରିଚାଳନା ଭଳି କ୍ଷେତ୍ରରେ ଦେଶକୁ ସାହାଯ୍ୟ କରିବ।
GSLV-F17 ରକେଟ୍ ଏହି ସାଟେଲାଇଟ୍କୁ ନେଇ ଆକାଶକୁ ଉଡ଼ାଣ ଭରିଥିଲା, ଯାହାକୁ ସବ୍-ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର ଅରବିଟ୍ (Sub-GTO)ରେ ପହଞ୍ଚାଯିବାର ଥିଲା।
ଜିଓସିଙ୍କ୍ରୋନସ୍ ଅରବିଟରେ ରହିବ ସାଟେଲାଇଟ୍:
ବୁଧବାର ରାତି ୧୧:୩୦ରୁ ଆରମ୍ଭ ହୋଇଥିବା ୨୭ ଘଣ୍ଟାର ନିରବଚ୍ଛିନ୍ନ କାଉଣ୍ଟଡାଉନ ପରେ, ୨,୩୬୭ କିଲୋଗ୍ରାମ୍ ପେଲୋଡ୍ ବିଶିଷ୍ଟ ରକେଟ୍ ସତୀଶ ଧୱନ୍ ସ୍ପେସ୍ ସେଣ୍ଟରର ଦ୍ବିତୀୟ ଲଞ୍ଚ ପ୍ୟାଡରୁ ଠିକ୍ ଭୋର ୨:୫୫ରେ ଉଡ଼ାଣ ଭରିଥିଲା। ବିଳମ୍ବିତ ସମୟ ଓ ବର୍ଷା ସତ୍ତ୍ୱେ ଲୋକଙ୍କ ଉତ୍ସାହ କମି ନଥିଲା ଏବଂ ଅନେକ ଲୋକ ଲଞ୍ଚିଂ ଦେଖିବା ପାଇଁ ସେଠାରେ ପହଞ୍ଚିଥିଲେ।
ଅଧିକାଂଶ ଅର୍ଥ ଅବଜରଭେସନ୍ ସାଟେଲାଇଟ୍ ଲୋ ଅର୍ଥ ଅରବିଟ୍ (LEO)ରୁ କାର୍ଯ୍ୟ କରୁଥିବା ବେଳେ, EOS-05 ସାଟେଲାଇଟ୍ ପୃଥିବୀରୁ ପ୍ରାୟ ୩୬,୦୦୦ କିଲୋମିଟର ଉଚ୍ଚତାରେ ଅର୍ଥାତ୍ ଜିଓସିଙ୍କ୍ରୋନସ୍ ଅରବିଟରେ ରହିବ। ଏହି ଉଚ୍ଚତାରେ ସାଟେଲାଇଟ୍ ପୃଥିବୀର ଘୂର୍ଣ୍ଣନ ଗତି ସହ ତାଳମେଳ ରଖିବ। GSLV-F17 ଭାରତର ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ ଭେହିକିଲର ୧୯ତମ ଉଡ଼ାଣ ଅଟେ।
ରକେଟର ତୃତୀୟ ଷ୍ଟେଜ୍ କ୍ରାୟୋଜେନିକ୍:
୩-ଷ୍ଟେଜ୍ ବିଶିଷ୍ଟ, ୫୧.୭ ମିଟର ଉଚ୍ଚ ଏହି ରକେଟର ତୃତୀୟ ଷ୍ଟେଜ୍ ହେଉଛି କ୍ରାୟୋଜେନିକ୍। ଏହାର ଲିଫ୍ଟ-ଅଫ୍ ମାସ୍ ୪୨୦.୫ ଟନ୍ ଏବଂ ୨,୦୦୦ କିଲୋଗ୍ରାମରୁ ଅଧିକ ଓଜନର ସାଟେଲାଇଟ୍ ରକେଟର ନୋଜ୍ କୋନରେ ଖଞ୍ଜା ଯାଇଛି। ମନେକରାଯାଉଛି ଯେ GSLV-F17/EOS-05 ମିଶନ୍, ୨୦୨୧ର ଅସଫଳ GSLV-F10/EOS-03 ମିଶନର ସ୍ଥାନ ନେବ। ସେତେବେଳେ ଉଡ଼ାଣର ୩୦୭ ତମ ସେକେଣ୍ଡରେ ଅନବୋର୍ଡ କମ୍ପ୍ୟୁଟର ଏହି ମିଶନକୁ ରୋକି ଦେଇଥିଲା। ଇସ୍ରୋ ଅନୁଯାୟୀ, ଉଡ଼ାଣ ପରବର୍ତ୍ତୀ ତଥ୍ୟ ଯାଞ୍ଚରୁ ଜଣାପଡ଼ିଥିଲା ଯେ କ୍ରାୟୋଜେନିକ୍ ଅପର ଷ୍ଟେଜରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମିଶନ ଅସଫଳ ହୋଇଥିଲା।
୮ ମାସର ବ୍ୟବଧାନ ପରେ ହେଲା ଲଞ୍ଚ:
ଆଜି ଭୋରରୁ ହୋଇଥିବା ଏହି ଲଞ୍ଚିଂ ପ୍ରାୟ ୮ ମାସର ବ୍ୟବଧାନ ପରେ ହୋଇଛି। ଏହି ବର୍ଷ ଜାନୁଆରୀ ୧୨ ତାରିଖରେ, ଇସ୍ରୋର PSLV-C62 ରକେଟ ୧୬ଟି ସାଟେଲାଇଟ ନେଇ ଯାଇଥିଲା, କିନ୍ତୁ ଲଞ୍ଚିଂର ଗୁରୁତ୍ବପୂର୍ଣ୍ଣ ତୃତୀୟ ପର୍ଯ୍ୟାୟରେ ଏକ 'ଯାନ୍ତ୍ରିକ ତ୍ରୁଟି' ଦେଖାଦେବା କାରଣରୁ ଏହା ସେଗୁଡ଼ିକୁ ନିର୍ଦ୍ଧାରିତ କକ୍ଷପଥରେ ପହଞ୍ଚାଇ ପାରି ନଥିଲା। ଏହା ଏହି ବର୍ଷ ଇସ୍ରୋର ଏକମାତ୍ର ଲଞ୍ଚିଂ ଥିଲା ଏବଂ ତାହା ଅସଫଳ ରହିଥିଲା।
ମେ ୨୦୨୫ରେ ଏହିପରି ଏକ ପୂର୍ବ ପ୍ରଚେଷ୍ଟା (PSLV-C61-EOS-09) ମଧ୍ୟ ମୋଟର ପ୍ରେସର ସମସ୍ୟା ଯୋଗୁଁ ସଫଳ ହୋଇପାରି ନଥିଲା, ଏବଂ ମୋଟର କେସର ଚାମ୍ବର ପ୍ରେସର ହ୍ରାସ ପାଇଥିଲା। କିଛି ଦିନ ପୂର୍ବରୁ, ଇସ୍ରୋ ଚେୟାରମ୍ୟାନ୍ ଭି. ନାରାୟଣନ୍ ତିରୁପତିସ୍ଥିତ ଭଗବାନ୍ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିର ପରିଦର୍ଶନ କରି ମିଶନର ସଫଳତା ପାଇଁ ପ୍ରାର୍ଥନା କରିଥିଲେ।