ଚେନ୍ନାଇ: ଚେନ୍ନାଇର ଏମ୍.ଏ. ଚିଦାମ୍ବରମ ଷ୍ଟାଡିୟମ୍ (ଚେପକ୍) ଠାରେ ୨୦୨୬ ଦୁଲୀପ ଟ୍ରଫିର ରୋମାଞ୍ଚକର ଫାଇନାଲ୍ ମୁକାବିଲା ଖେଳାଯାଉଛି। ଏହି ମହାମୁକାବିଲାରେ ଇଷ୍ଟ ଜୋନ୍ ଏବଂ ସାଉଥ୍ ଜୋନ୍ ଟିମ୍ ପରସ୍ପରକୁ ଭେଟିଛନ୍ତି। ଇଷ୍ଟ ଜୋନ୍ ଦଳର ଅଧିନାୟକତ୍ୱ ଷ୍ଟାର୍ ୱିକେଟ୍ କିପର ବ୍ୟାଟର ଈଶାନ କିଶନ ସମ୍ଭାଳୁଥିବା ବେଳେ, ସାଉଥ୍ ର ନେତୃତ୍ୱ ତିଳକ ବର୍ମାଙ୍କ ହାତରେ ରହିଛି। ଏହି ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ଜାତୀୟ ଦଳର ଅନେକ ନାମୀଦାମୀ ଖେଳାଳି ମଇଦାନକୁ ଓହ୍ଲାଇଛନ୍ତି।
ଇଷ୍ଟ ଜୋନ୍ ଦଳରେ ରହିଛନ୍ତି ଅନେକ ଦକ୍ଷ ଖେଳାଳି
ଇଷ୍ଟ ଜୋନ୍ ଦଳରେ ଅଧିନାୟକ ଈଶାନ କିଶନଙ୍କ ବ୍ୟତୀତ ମାତ୍ର ୧୫ ବର୍ଷ ବୟସର ବିସ୍ଫୋରକ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ସାମିଲ ଅଛନ୍ତି। ଏହାଛଡ଼ା ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ଏବଂ ମୁକେଶ କୁମାର ମଧ୍ୟ ଏହି ଦଳର ପେସ୍ ଆକ୍ରମଣ ସମ୍ଭାଳୁଛନ୍ତି। ଦଳରେ ଅଭିମନ୍ୟୁ ଈଶ୍ୱରନ ଏବଂ ଅନୁକୂଳ ରାୟଙ୍କ ଭଳି ଅଭିଜ୍ଞ ଚେହେରା ମଧ୍ୟ ରହିଛନ୍ତି। ଅଭିମନ୍ୟୁ ପୂର୍ବରୁ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଡେବ୍ୟୁ କରିବାକୁ ସୁଯୋଗ ପାଇନାହାଁନ୍ତି।
ସାଉଥ୍ ଜୋନ୍ ଦଳରେ ବି ଅଛନ୍ତି ମ୍ୟାଚ୍ ୱିନର୍
ଅନ୍ୟପଟେ ସାଉଥ୍ ଜୋନ୍ ଦଳର ଅଧିନାୟକ ତିଳକ ବର୍ମା ଥିବାବେଳେ, ଦଳରେ ଦେବଦତ୍ତ ପଡ଼ିକଲ୍ ଏବଂ ଷ୍ଟାର୍ ପେସର୍ ମହମ୍ମଦ ସିରାଜ ମଧ୍ୟ ସାମିଲ ଅଛନ୍ତି। ଆଇପିଏଲ୍ ଏବଂ ଘରୋଇ କ୍ରିକେଟର ଜଣାଶୁଣା ଲେଗ୍ ସ୍ପିନର ଶ୍ରେୟସ ଗୋପାଳ ମଧ୍ୟ ଏହି ଟିମ୍ ପକ୍ଷରୁ ଖେଳୁଛନ୍ତି।
ଈଶାନ କିଶନଙ୍କ ଶତକ
ମ୍ୟାଚ୍ର ପ୍ରଥମ ଦିନର ଖେଳ ଶେଷ ହେବା ସୁଦ୍ଧା ଇଷ୍ଟ ଜୋନ୍ ୪ ୱିକେଟ୍ ହରାଇ ୩୮୫ ରନ୍ ର ଏକ ବିଶାଳ ସ୍କୋର କରିଛି। ଷ୍ଟମ୍ପ୍ସ ଅପସାରଣ ବେଳକୁ ଅଧିନାୟକ ଈଶାନ କିଶନ ୧୩୫ ବଲ୍ରୁ ୧୧୧ ରନ୍ (୧୪ ଚୌକା, ୨ ଛକା) କରି ଅପରାଜିତ ଅଛନ୍ତି। ତାଙ୍କ ସହ କୁମାର କୁଷାଗ୍ର ୭୫ ବଲ୍ରୁ ୬୩ ରନ୍ (୪ ଚୌକା, ୫ ଛକା) କରି ନଟ୍ ଆଉଟ୍ ଅଛନ୍ତି। ଉଭୟଙ୍କ ମଧ୍ୟରେ ୧୪୪ ରନର ଦମଦାର ଭାଗିଦାରୀ ହୋଇଛି। ଏହାପୂର୍ବରୁ ବୈଭବ ସୂର୍ଯ୍ୟବଂଶୀ ୩୭ ବଲ୍ରୁ ୪୪ ରନ୍, ଅଭିମନ୍ୟୁ ଈଶ୍ୱରନ ୭୨ ରନ୍ ଏବଂ ଶିଖର ମୋହନ ୮୫ ରନର ପାଳି ଖେଳିଥିଲେ।