ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକର ଚାପ ଏବଂ କଟକଣା ସତ୍ତ୍ୱେ ଭାରତ କାହିଁକି ରୁଷ୍ ଠାରୁ କ୍ରମାଗତ ତେଲ କିଣୁଛି। ସେନେଇ ଭାରତରେ ଅବସ୍ଥାପିତ ରୁଷ୍ ରାଷ୍ଟ୍ରଦୂତ ଡେନିସ୍ ଆଲିପୋଭ୍ ଏକ ବଡ଼ ଏବଂ ସ୍ପଷ୍ଟ ବୟାନ୍ ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତ କୌଣସି ଦେଶକୁ ସାହାଯ୍ୟ କରିବା ପାଇଁ ରୁଷ୍ରୁ ତେଲ ଆମଦାନୀ କରୁନାହିଁ, ବରଂ ଏହା ସମ୍ପୂର୍ଣ୍ଣ ଭାବେ ନିଜର ଦେଶବାସୀଙ୍କ ଶକ୍ତି ଆବଶ୍ୟକତା ଏବଂ ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି କରୁଛି।
ରୁଷ୍ ରାଷ୍ଟ୍ରଦୂତ ସ୍ପଷ୍ଟ କରିଛନ୍ତି ଯେ, ଭାରତ ଭଳି ଏକ ବିଶାଳ ଅର୍ଥବ୍ୟବସ୍ଥା ପାଇଁ ଶକ୍ତି ସୁରକ୍ଷା ସର୍ବଦା ସର୍ବୋଚ୍ଚ ପ୍ରାଥମିକତା ରହିଛି। ଭାରତୀୟ ରିଫାଇନାରୀଗୁଡ଼ିକ ବଜାରର ସ୍ଥିତି ଏବଂ ଅର୍ଥନୈତିକ ଲାଭକୁ ଦେଖି ରୁଷ୍ରୁ କ୍ରୁଡ୍ ଅଏଲ୍ କ୍ରୟ କରୁଛନ୍ତି। ଏଥିରେ ଅନ୍ୟ କୌଣସି ଦେଶର ଚାପ କିମ୍ବା ପରୋକ୍ଷ ସାହାଯ୍ୟ କଥା ଆସୁନାହିଁ। ଭାରତ ନିଜର ସ୍ୱାର୍ଥକୁ ଆଗରେ ରଖି ସ୍ୱାଧୀନ ଭାବେ ବୈଦେଶିକ ଏବଂ ବାଣିଜ୍ୟିକ ନୀତି ନିର୍ଦ୍ଧାରଣ କରୁଛି।
ପଶ୍ଚିମ ଦେଶର ଚାପକୁ ଖାତିର ନାହିଁ
ରୁଷ୍-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଆମେରିକା ଏବଂ ପାଶ୍ଚାତ୍ୟ ଦେଶଗୁଡ଼ିକ ଭାରତ ଉପରେ ରୁଷ୍ ତେଲ କିଣିବା ବନ୍ଦ କରିବା ପାଇଁ କ୍ରମାଗତ ଚାପ ପକାଇ ଆସୁଛନ୍ତି। ମାତ୍ର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସର୍ବଦା ଏହା ସ୍ପଷ୍ଟ କରିଆସିଛି ଯେ, ଭାରତର କୋଟି କୋଟି ଜନସାଧାରଣଙ୍କ ଶକ୍ତି ଆବଶ୍ୟକତା ପୂରଣ କରିବା ପାଇଁ ଯେଉଁଠାରୁ ଶସ୍ତା ଏବଂ ସୁବିଧାରେ ତେଲ ମିଳିବ, ସେଠାରୁ କ୍ରୟ କରାଯିବ। ରୁଷ୍ ରାଷ୍ଟ୍ରଦୂତଙ୍କ ଏହି ବୟାନ୍ ଭାରତର ଏହି ନୀତିକୁ ଆହୁରି ମଜବୁତ କରିଛି।
Also Read: 'ପଢାଲେଖା ଲୋକଙ୍କ ଅପେକ୍ଷା ଅପରାଧପ୍ରବଣ ଓ ଅବହେଳିତ ଅଞ୍ଚଳରୁ ମିଳିଛି ଅଧିକ ଭୋଟ୍', କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କ ବଡ଼ ବୟାନ୍