ନୂଆଦିଲ୍ଲୀ: ୨୦୨୯ ସାଧାରଣ ନିର୍ବାଚନକୁ ଆଉ କିଛି ବର୍ଷ ବାକି ଥିଲେ ହେଁ ଏବେଠାରୁ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଲାଣି। ବିରୋଧୀ 'ଇଣ୍ଡିଆ' ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରା କିଏ ହେବ, ସେନେଇ ଦଳଗତ ସମୀକରଣ ଏବେଠାରୁ ଆରମ୍ଭ ହୋଇଯାଇଛି। ତାମିଲନାଡ଼ୁର ରାଜନୈତିକ ଦଳ TVKର ମୁଖ୍ୟ ତଥା ଅଭିନେତା-ରାଜନେତା ସି. ଜୋସେଫ୍ ବିଜୟଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସ ଏହା ଉପରେ ସ୍ପଷ୍ଟୀକରଣ ରଖିଛି।
"ରାହୁଲ ଗାନ୍ଧି ହିଁ ଇଣ୍ଡିଆ ମେଣ୍ଟର ନେତା"
ରବିବାର କଂଗ୍ରେସର ସଂଗଠନ ମହାସଚିବ ତଥା ଲୋକସଭା ସାଂସଦ କେ.ସି. ବେଣୁଗୋପାଳ ଏକ ପ୍ରେସ୍ କନଫରେନ୍ସରେ ଏହି ପ୍ରସଙ୍ଗରେ ବଡ଼ ବୟାନ୍ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ୨୦୨୯ ଲୋକସଭା ନିର୍ବାଚନରେ ଲୋକସଭାରେ ବିରୋଧୀଦଳର ନେତା ତଥା କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ହିଁ 'ଇଣ୍ଡିଆ' ମେଣ୍ଟର ନେତୃତ୍ୱ ନେବେ ଏବଂ ମେଣ୍ଟର ମୁଖ୍ୟ ଚେହେରା ହେବେ।
କେରଳର ତ୍ରିଶୂରଠାରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରିବା ସମୟରେ କେସି ବେଣୁଗୋପାଳ ଟିଭିକେ ମୁଖ୍ୟ ବିଜୟଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱ ନେଇ ଉଠିଥିବା ସମସ୍ତ କଳ୍ପନାଜଳ୍ପନାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, "ଟିଭିକେ ପକ୍ଷରୁ ଏଭଳି କୌଣସି ଦାବି କରାଯାଇ ନାହିଁ। କେହି ମଧ୍ୟ ଏହି ପ୍ରସଙ୍ଗରେ ଅଯଥା ଭ୍ରମ ସୃଷ୍ଟି କରିବା ଉଚିତ୍ ନୁହେଁ। ରାହୁଲ ଗାନ୍ଧିଙ୍କ ନେତୃତ୍ୱକୁ ନେଇ ମେଣ୍ଟରେ କୌଣସି ଦ୍ୱନ୍ଦ୍ୱ ନାହିଁ।"
Also Read: 'ପଢାଲେଖା ଲୋକଙ୍କ ଅପେକ୍ଷା ଅପରାଧପ୍ରବଣ ଓ ଅବହେଳିତ ଅଞ୍ଚଳରୁ ମିଳିଛି ଅଧିକ ଭୋଟ୍', କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କ ବଡ଼ ବୟାନ୍