ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାରୁ ଏକ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ନଗର ପୋଲରୁ ଚେନାବ ନଦୀକୁ ଡେଇଁ ଜଣେ ଯୁବତୀ ଜୀବନ ହାରିଥିବା ଜଣାପଡ଼ିଛି। ଆତ୍ମହତ୍ୟା କରିବା ପୂର୍ବରୁ ସେ ନିଜ ବାପାଙ୍କ ସହ ଫୋନରେ କଥା ହୋଇଥିଲେ ଏବଂ ତାଙ୍କର ଶେଷ କଥା ଥିଲା, "ବାଇ ବାଇ ପାପା..."।
ସୂଚନା ଅନୁଯାୟୀ, ମୃତ ଯୁବତୀ ଜଣକ ହେଲେ ପାୟଲ ଦେବୀ, ଯିଏକି କୃଷନ ଲାଲଙ୍କ କନ୍ୟା। ପାୟଲ ଏକ ମେଳାକୁ ଯାଇଥିଲେ ଏବଂ ସେଠାରୁ ଫେରିବା ବେଳେ ଗ୍ରାମର ଜଣେ ପରିଚିତ ବ୍ୟକ୍ତିଙ୍କ ସହ ବାଇକ୍ରେ ଆସୁଥିଲେ। ରାସ୍ତାରେ ଆସୁଥିବା ସମୟରେ ପାୟଲଙ୍କ ଓଢ଼ଣୀ ମୋଟରସାଇକେଲ ଚକରେ ଫସିଯାଇଥିଲା। ଏହାପରେ ବାଇକ ଚଲାଉଥିବା ଯୁବକ ଜଣକ ଗାଡ଼ି ଅଟକାଇ ଓଢ଼ଣୀ ବାହାର କରିବାକୁ ଚେଷ୍ଟା କରିଥିଲେ।
ସେହି ସମୟରେ ହଠାତ୍ ପାୟଲ ପ୍ରେମ ନଗର ପୋଲର ଧାରକୁ ଚାଲିଯାଇଥିଲେ ଏବଂ ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ସେଠାରେ ଉପସ୍ଥିତ ଲୋକଙ୍କୁ କହିଥିଲେ। ପୋଲରେ ଥିବା ସ୍ଥାନୀୟ ଲୋକମାନେ ତାଙ୍କୁ ବୁଝାସୁଝା କରିବା ସହ ଏପରି ଚରମ ପଦକ୍ଷେପ ନ ନେବାକୁ ଅନୁରୋଧ କରିଥିଲେ। ଏପରିକି ବାଇକ ଚାଳକ ଜଣକ ମଧ୍ୟ ତୁରନ୍ତ ତାଙ୍କ ବାପାଙ୍କୁ ଫୋନ୍ କରି ସମସ୍ତ ସ୍ଥିତି ବିଷୟରେ ଜଣାଇଥିଲେ।
ବାପାଙ୍କ ନୁହେଁ ଶୁଣିଲେ କାହାର କଥା
ବାପା ଫୋନ୍ ମାଧ୍ୟମରେ ଝିଅ ସହ କଥା ହୋଇ ତାଙ୍କୁ ବୁଝାଇବାକୁ ବହୁତ ଚେଷ୍ଟା କରିଥିଲେ। ମାତ୍ର ପାୟଲ ବାପାଙ୍କ କୌଣସି କଥା ନ ଶୁଣି, ଏହା ତାଙ୍କ ନିଜ ଜୀବନ ଏବଂ ସେ ଏହାକୁ ଶେଷ କରିବାକୁ ସ୍ଥିର କରିସାରିଛନ୍ତି ବୋଲି କହିଥିଲେ। ବାପାଙ୍କୁ "ବାଇ ବାଇ ପାପା" କହି ସେ ସମସ୍ତଙ୍କ ସାମ୍ନାରେ ଚେନାବ ନଦୀକୁ ଡିଆଁ ମାରିଥିଲେ।
ଏହି ଘଟଣା ପରେ ସ୍ଥାନୀୟ ଲୋକ, ପୁଲିସ ଏବଂ ଏସଡିଆରଏଫ୍ (SDRF) ଟିମ୍ ଘଟଣାସ୍ଥଳରେ ପହଞ୍ଚି ପାୟଲଙ୍କୁ ଖୋଜିବା ପାଇଁ ବ୍ୟାପକ ସର୍ଚ୍ଚ ଅଭିଯାନ ଆରମ୍ଭ କରିଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ ଏବଂ ନଦୀରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।