ନୂଆଦିଲ୍ଲୀ: କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ (ସିପିସିବି) ଦ୍ୱାରା ସ୍ୱଚ୍ଛ ବାୟୁ ସର୍ଭେ ରିପୋର୍ଟ ୨୦୨୬ ପ୍ରକାଶ ପାଇଛି । ଚଳିତ ବର୍ଷ ସ୍ୱଚ୍ଛ ବାୟୁ ସର୍ଭେରେ ପ୍ରଥମ ବର୍ଗରେ ଇନ୍ଦୋରକୁ ପଛରେ ପକାଇ ଉତ୍ତର ପ୍ରଦେଶର ଲକ୍ଷ୍ନୌ ସହର ବାଜି ମାରିନେଇଛି । ତେବେ ମଧ୍ୟ ପ୍ରଦେଶ ତିନୋଟି ସହର ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି । ଲକ୍ଷ୍ନୌ ୧୯୮ ଅଙ୍କ ସହିତ ପ୍ରଥମ ସ୍ଥାନରେ ରହିଥିବାବେଳେ ମଧ୍ୟ ପ୍ରଦେଶର ଇନ୍ଦୋର ୧୯୭ ଓ ଜବଲପୁର ୧୯୫ ଅଙ୍କ ସହ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଭୋପାଲ ଓ ଆଗ୍ରା ସହର ଉଭୟ ୧୯୨ ଅଙ୍କ ସହିତ ଯୁଗ୍ମଭାବେ ଚତୁର୍ଥ ସ୍ଥାନରେ ରହିଛନ୍ତି । ସେହିପରି ଗୁଜରାଟର ସୁରଟ ସହର ୧୯୧ ଅଙ୍କ ସହିତ ପଞ୍ଚମ ସ୍ଥାନରେ ରହିଛି ।
ଦେଶର ଜାତୀୟ ରାଜଧାନୀ ଦିଲ୍ଲୀ ନୈରାଶ୍ୟ ଜନକ ପ୍ରଦର୍ଶନ ରହିଛି । ଦିଲ୍ଲୀ ୧୭୨ ଅଙ୍କ ସହିତ ୨୧ତମ ସ୍ଥାନରେ ରହିଥିବାବେଳେ ମୁମ୍ବାଇ ସହର ୧୬୦.୮ ଅଙ୍କ ସହିତ ୨୮ତମ ସ୍ଥାନରେ ରହିଛି ।
ପ୍ରଥମ ବର୍ଗ ବା କାଟାଗୋରୀ-୧ରେ (୧୦ ଲକ୍ଷରୁ ଅଧିକ ଜନସଂଖ୍ୟା) ପ୍ରଥମ ସ୍ଥାନ ପାଇଁ ଦେଢ଼ କୋଟି, ଦ୍ୱିତୀୟ ସ୍ଥାନ ପାଇଁ ଏକ କୋଟି ଏବଂ ତୃତୀୟ ସ୍ଥାନ ପାଇଁ ୫୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ସେହିପରି ଦ୍ୱିତୀୟ ବର୍ଗ ବା କାଟାଗୋରୀ-୨ (୩ରୁ ୧୦ ଲକ୍ଷ ଜନସଂଖ୍ୟା)ରେ ପ୍ରଥମ ସ୍ଥାନ ପାଇଁ ୭୫ ଲକ୍ଷ ଟଙ୍କା, ଦ୍ୱିତୀୟ ସ୍ଥାନ ପାଇଁ ୫୦ ଲକ୍ଷ ଏବଂ ତୃତୀୟ ସ୍ଥାନ ପାଇଁ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ସେହିପରି କାଟାଗୋରୀ-୩ରେ (୩ ଲକ୍ଷରୁ କମ ଜନସଂଖ୍ୟା) ସହରକୁ ପ୍ରଥମ ସ୍ଥାନ ପାଇଁ ୩୭ ଲକ୍ଷ ୫୦ ହଜାର, ଦ୍ୱିତୀୟ ସ୍ଥାନ ପାଇଁ ୨୫ ଲକ୍ଷ ଏବଂ ତୃତୀୟ ସ୍ଥାନ ୧୨ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯିବ । ଏହି ପୁରସ୍କାର ରାଶି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦାନ କରାଯିବ ।