ଭୁବନେଶ୍ୱର: ଦିଲ୍ଲୀର ସତ୍ୟ ନିକେତନରେ ନିକଟରେ ଘଟିଥିବା ଭୟାବହ କୋଠା ଭୁଶୁଡ଼ିବା ଘଟଣା ପରେ ଏବେ ତତ୍ପର ହୋଇଛି ଓଡ଼ିଶା ସରକାର। ଦୁର୍ବଳ ଓ ବିପଦସଙ୍କୁଳ କୋଠାଗୁଡ଼ିକୁ ଚିହ୍ନଟ କରି ଭାଙ୍ଗିବା ପାଇଁ ପଦକ୍ଷେପ ଆରମ୍ଭ ହୋଇଛି। ଏନେଇ ସହରାଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସରକାର କଡ଼ା ନଜର ରଖିଥିବା ଜଣାପଡ଼ିଛି।
ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ସହରାଞ୍ଚଳରେ ଥିବା ଦୁର୍ବଳ ସରକାରୀ କୋଠାଗୁଡ଼ିକୁ ଭଙ୍ଗାଯାଉଛି। ଏହାସହ ଅସୁରକ୍ଷିତ ଘରୋଇ କୋଠାଗୁଡ଼ିକୁ ମଧ୍ୟ ଭାଙ୍ଗିବା ପାଇଁ ନୋଟିସ୍ ଜାରି କରାଯିବ। କେବଳ ସରକାରୀ କାର୍ଯ୍ୟାଳୟ ନୁହେଁ, ଦୁର୍ବଳ ସ୍କୁଲ କୋଠା ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ନେଇ ମଧ୍ୟ ପ୍ରଶାସନ ପଦକ୍ଷେପ ନେଉଛି। ଏଭଳି ଅନେକ ଦୁର୍ବଳ କୋଠାକୁ ଭାଙ୍ଗିବା ପାଇଁ ଇତିମଧ୍ୟରେ ନୋଟିସ୍ ଦିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
ସହର ସୀମା ଭିତରେ ଥିବା ବିପଦସଙ୍କୁଳ କୋଠାଗୁଡ଼ିକୁ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କ ଜୀବନ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ସରକାର ଏହି ପ୍ରସଙ୍ଗରେ କଡ଼ା ନଜର ରଖିଛି ବୋଲି ମନ୍ତ୍ରୀ କହିଛନ୍ତି। ଦିଲ୍ଲୀ ଘଟଣାରେ ସାତଜଣଙ୍କ ଜୀବନ ଯାଇଥିବା ପରେ ଓଡ଼ିଶା ସରକାରଙ୍କ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି।