ଉମରକୋଟ ବ୍ଲକ ତୋହରା ପଞ୍ଚାୟତର ଦୁଇ ଗାଁରେ ଲୋକଙ୍କୁ ବ୍ୟାପିଛି ଅଜଣା ଜ୍ବର। ପଦମଝରି ଓ ଅର୍ଜୁନପାଣି ଗାଁରେ ଅନେକ ଲୋକ ଅଜଣା ଜ୍ବରରେ ପୀଡ଼ିତ ଥିବା ସୂଚନା ରହିଛି । ଗାଁ ଠାରୁଡାକ୍ତରଖାନା ପ୍ରାୟ ୩୫ କିଲୋମିଟର ଦୂରରେ ରହିଛି। ସରକାରୀ ଚିକିତ୍ସା ଗାଁ ଲୋକଙ୍କ ହାତ ପାଖରେ ନାହିଁ। ତେଣୁ ଜୀବନ ବଞ୍ଚାଇବାକୁ ଅଣ ସ୍ୱୀକୃତିପ୍ରାପ୍ତ ଚିକିତ୍ସକଙ୍କ ନିକଟରେ ଚିକିତ୍ସିତ ହେଉଛନ୍ତି। ସେହିଭଳି ପଦମଝରି ଗାଁର କିଛି ଲୋକ ମଧ୍ୟ ଜ୍ବରରେ ପୀଡ଼ିତ ଥିବା ଜଣାପଡିଛି। ଯାହା ଏବେ ଗାଁରେ କୋକୁଆ ଭୟ ଖେଳାଇଛି।
ଏହି ପଞ୍ଚାୟତରେ ପ୍ରାୟ ୧୪ ହଜାରରୁ ଅଧିକ ଲୋକ ବସବାସ କରନ୍ତି। ପଡୋଶୀ ପଞ୍ଚାୟତରେ ଥିବା ମେଡିକାଲରେ ଡାକ୍ତର ନଥିବାରୁ ଅନେକ ସମୟରେ ବନ୍ଦ ରହୁଛି । ଜଣେ ଏଏନଏମଙ୍କ ଉପରେ ୧୪ ହଜାର ଲୋକଙ୍କ ଜୀବନ ଭରସାରେ ରହିଛି । ତେଣୁ ଡାକ୍ତର ନିଯୁକ୍ତି କରି ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଦାବି ହୋଇଛି। ଲୋକଙ୍କୁ ଜ୍ବର ବ୍ୟାପିବା ନେଇ ସ୍ବାସ୍ଥ୍ୟ ବିଭାଗ ପାଖରେ ନା ଅଛି ଖବର ନା ପ୍ରଶାସନର କିଛି ନଜର କେବଳ ଭଗବାନଙ୍କ ଭରସାରେ ରହିଛନ୍ତି ଲୋକେ। ତେଣୁ ସ୍ବାସ୍ଥ୍ଯ ବିଭାଗ ଏଥିପ୍ରତି ନଜର ଦେବାକୁ ଦାବି ହେଉଛି।
ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବିଶେଷ କରି ବର୍ଷା ଦିନ ପରେ ଅଜଣା ଜ୍ବର ବା ରହସ୍ୟମୟ ଜ୍ବର ବ୍ୟାପିବା ଚିନ୍ତାର ବିଷୟ ପାଲଟିଛି। ବହୁ ସମୟରେ ଏହା ସାଧାରଣ ଜ୍ବର ପରି ମନେ ହେଉଥିଲେ ମଧ୍ୟ ସଠିକ୍ ପରୀକ୍ଷା ନିରୀକ୍ଷା ପରେ ଏହା ମାଲେରିଆ, ଡେଙ୍ଗୁ, ସ୍କ୍ରବ୍ ଟାଇଫସ୍ କିମ୍ବା ଅନ୍ୟ କୌଣସି ଜୀବାଣୁଜନିତ ସଂକ୍ରମଣ ବୋଲି ଜଣାପଡ଼ିଥାଏ। ତେଣୁ ଠିକ୍ ସମୟରେ ସ୍ବାସ୍ଥ୍ଯ ପରୀକ୍ଷା କରାଇବା ଜରୁରୀ ଅଟେ।