ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପେଣ୍ଟା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ସିନିୟର ଛାତ୍ରଙ୍କ ଦାଦାଗିରି । ଛାତ୍ରାବାସରେ ଜଣେ ଜୁନିୟର ଛାତ୍ରଙ୍କୁ ସିନିୟର୍ ଛାତ୍ର ନିର୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଫଳରେ ଛାତ୍ର ଜଣକ ସାମାନ୍ୟ ଆହତ ହୋଇଛନ୍ତି । ଆହତ ଛାତ୍ର ଜଣକ ହେଲେ ମୁକେଶ ନାଏକ । ସେ ଷଷ୍ଠ ଶ୍ରେଣୀରେ ପଢ଼ନ୍ତି ।
ପେଣ୍ଟା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ମୁକେଶ ନାଏକକୁ ଦଶମ ଶ୍ରେଣୀର ଛାତ୍ର ସୁପୁଲୁ ହିମିରିକା ଅନେକ ସମୟରେ ନିର୍ଯ୍ୟାତନା ଦିଅନ୍ତି । ତାଙ୍କୁ ମାଡ଼ ମାରିବା ସହିତ ଲୁଗା ସଫା କରିବା, ବାସନ ମଜାଇବା ଏବଂ ଦେହରୁ ପୋଷାକ ବାହାରକରି ନିର୍ଯ୍ୟାତନା ଦେଉଥିବା ଗୁରୁତର ଅଭିଯୋଗ ହୋଇଛି। ଯାହା ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି। ଜୁନିୟର ଛାତ୍ରର ବାମ ହାତରେ ଆଘାତ ଲାଗିଥିବା ଜଣାପଡିଛି । ଏହି ଘଟଣାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଚାପିଦେବାକୁ ଉଦ୍ୟମ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାର ଅଭିଭାବକ ଏ ବାବଦରେ ନ ଜଣାଇବାରୁ ସ୍ଥାନୀୟ ଲୋକେ ଛାତ୍ରର ପରିବାରକୁ ଜଣାଇଛନ୍ତି। ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ପ୍ରଶାସନ ପାଖରେ ମଧ୍ୟ ଖବର ନଥିବା ଜଣାପଡିଛି ।
ରାୟଗଡା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରବାସରୁ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଥିବା ବେଳେ ଶିକ୍ଷାବିତ ମହଲରେ ଘଟଣାକୁ ନିନ୍ଦା କରାଯାଇଛି । ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ସଂପୃକ୍ତ ଛାତ୍ରଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।