ଭୁବନେଶ୍ୱର: ଓଡ଼ିଶାର ନୂଆ ଡିଜିପି ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ପୁଣିଥରେ ଘୁଞ୍ଚିଯାଇଛି। ଏବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୧୬ ତାରିଖରେ ହେବ।
ଶୁଣାଣି ସମୟରେ ଜେଲ ଡିଜି ସୁଶାନ୍ତ ନାଥ ମାମଲାରେ ହସ୍ତକ୍ଷେପ କରିଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅଧିକ ସମୟ ପାଇଁ ଅଦାଲତଙ୍କୁ ଅନୁରୋଧ କରିଥିଲେ। ଏହା ପରେ ସୁପ୍ରିମକୋର୍ଟ ମାମଲାର ଶୁଣାଣିକୁ ୧୬ ତାରିଖକୁ ସ୍ଥଗିତ ରଖିଛନ୍ତି।
ତେବେ ଆଇନଜୀବୀଙ୍କ ମତରେ, ଏହି ମାମଲାକୁ ଆଉ ବେଶୀ ଦିନ ପର୍ଯ୍ୟନ୍ତ ଟାଳି ରଖାଯିବ ନାହିଁ। ନିୟମ ଅନୁଯାୟୀ ଡିଜିପି ପଦବୀରେ ଆଡହକ୍ ବ୍ୟବସ୍ଥା ଦୀର୍ଘ ସମୟ ଚାଲିପାରିବ ନାହିଁ। ସେଥିପାଇଁ ସୁପ୍ରିମକୋର୍ଟ ଖୁବଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ଦେଇପାରନ୍ତି ବୋଲି ଆଶା କରାଯାଉଛି।
ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ଏହି ମାମଲା ଓଡ଼ିଶା ପ୍ରଶାସନିକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ସମସ୍ତଙ୍କ ନଜର ସେପ୍ଟେମ୍ବର ୧୬ର ଶୁଣାଣି ଉପରେ ରହିଛି।