ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଆସିଛି ଖୁସିର ଖବର। ବିଲୁପ୍ତପ୍ରାୟ ଏସିଆଟିକ୍ ସିଂହ ସଂରକ୍ଷଣ ଅଭିଯାନକୁ ମିଳିଛି ବଡ଼ ସଫଳତା। ସିଂହୀ ‘ମାୟା’ ନିଜର ପ୍ରଥମ ଗର୍ଭଧାରଣରେ ୨ଟି ସୁସ୍ଥ ଶାବକଙ୍କୁ ଜନ୍ମ ଦେଇଛି। ଏହି ଜନ୍ମ ପରେ ନନ୍ଦନକାନନରେ ସିଂହଙ୍କ ମୋଟ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି।
ପ୍ରାଣୀ ଉଦ୍ୟାନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସିଂହୀ ମାୟାର ସିଂହ ‘ଶିବମ୍’ ସହ ମିଳନ ପରେ ଏହି ଦୁଇଟି ଶାବକର ଜନ୍ମ ହୋଇଛି। ବିଶେଷ କଥା ହେଉଛି, ମାୟା ଓ ଶିବମ୍ ଉଭୟେ ଶୁଦ୍ଧ ଏସିଆଟିକ୍ ସିଂହ ଏବଂ ଉଭୟଙ୍କ ମା’ ହେଲେ ସିଂହୀ ‘ରେୱା’।
କଡ଼ା ନଜରରେ ମା’ ଓ ଶାବକ
ବର୍ତ୍ତମାନ ମାୟା ଓ ତାର ଦୁଇ ନବଜାତ ଶାବକ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି। ପ୍ରସବ ପରବର୍ତ୍ତୀ ସମ୍ବେଦନଶୀଳ ସମୟକୁ ଦୃଷ୍ଟିରେ ରଖି ଚିଡ଼ିଆଖାନା କର୍ତ୍ତୃପକ୍ଷ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଯତ୍ନର ବ୍ୟବସ୍ଥା କରିଛନ୍ତି। ପଶୁ ଚିକିତ୍ସକ ଓ କର୍ମଚାରୀମାନେ ୨୪ ଘଣ୍ଟା ସ୍ୱାସ୍ଥ୍ୟ ଓ ସୁରକ୍ଷା ଉପରେ ନଜର ରଖିଛନ୍ତି।
ସଂରକ୍ଷଣ ଅଭିଯାନକୁ ମିଳିଲା ନୂଆ ଶକ୍ତି
ଏସିଆଟିକ୍ ସିଂହ ବିଶ୍ୱର ସବୁଠାରୁ ଦୁର୍ଲଭ ବଡ଼ ବିଲାଡ଼ି ପ୍ରଜାତି ମଧ୍ୟରୁ ଅନ୍ୟତମ। ଏପରି ପରିସ୍ଥିତିରେ ନନ୍ଦନକାନନରେ ଏହି ଦୁଇ ଶାବକର ଜନ୍ମ କେବଳ ଖୁସିର ଖବର ନୁହେଁ, ବରଂ ବନ୍ଦୀ ପ୍ରଜନନ ଓ ସଂରକ୍ଷଣ କାର୍ଯ୍ୟକ୍ରମ ପାଇଁ ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି।
ନନ୍ଦନକାନନ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଆଗାମୀ କିଛି ସପ୍ତାହ ଯାଏଁ ମାୟା ଓ ଶାବକମାନଙ୍କୁ ବିଶେଷ ନିରୀକ୍ଷଣରେ ରଖାଯିବ, ଯାହାଦ୍ୱାରା ସେମାନଙ୍କ ସୁସ୍ଥ ବିକାଶ ସୁନିଶ୍ଚିତ ହୋଇପାରିବ।