ସମ୍ବଲପୁର: ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣି ଥରେ ହୋଇପାରେ ଛାତ୍ର ସଂସଦ ନିର୍ବାଚନ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ ବଡ଼ ସଙ୍କେତ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସୋମବାର ସମ୍ବଲପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ଅବସରରେ ମନ୍ତ୍ରୀ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି। ତେବେ ଏହି ନିର୍ବାଚନ କେବଳ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପାଇଁ ସୀମିତ ନୁହେଁ, ବରଂ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟକୁ ନେଇ ବିଚାର କରାଯାଉଥିବା ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ।
ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗରେ ସମ୍ପୃକ୍ତ ବିଭାଗ ଏବଂ ଅଧିକାରୀଙ୍କ ସହ ଆଲୋଚନା ସରିଛି। ଉପଯୁକ୍ତ ସମୟରେ ଏନେଇ ଘୋଷଣା କରାଯିବ। ଏହି ବୟାନ ପରେ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପୁଣି ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏପର୍ଯ୍ୟନ୍ତ ନିର୍ବାଚନର କୌଣସି ନିର୍ଦ୍ଦିଷ୍ଟ ତାରିଖ କିମ୍ବା ସମୟସୂଚୀ ସରକାରଙ୍କ ପକ୍ଷରୁ ଘୋଷଣା ହୋଇନାହିଁ।
ସମ୍ପୃକ୍ତ ବିଭାଗ ଓ ଅଧିକାରୀଙ୍କ ସହ ଆବଶ୍ୟକ ଆଲୋଚନା ପରେ ଠିକ୍ ସମୟରେ ଚୂଡ଼ାନ୍ତ ଘୋଷଣା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଫଳରେ ନିର୍ବାଚନକୁ ନେଇ ଆଶା ବଢ଼ିଥିବା ବେଳେ ସରକାରଙ୍କ ଚୂଡ଼ାନ୍ତ ଘୋଷଣାକୁ ଛାତ୍ରଛାତ୍ରୀଙ୍କ ଅପେକ୍ଷା ରହିଛି।