ପୁରୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀରେ ପୂଜ୍ୟ ସାଧ୍ୱୀ ଋତମ୍ଭରାଜୀଙ୍କୁ ସାକ୍ଷାତ କରି ତାଙ୍କଠାରୁ ଭାଗବତ କଥାମୃତ ଶ୍ରବଣ କରିବାର ସୌଭାଗ୍ୟ ଲାଭ କରିଥିବା କହିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଶ୍ରୀରାମ ମନ୍ଦିର ଆନ୍ଦୋଳନର ଅଗ୍ରଣୀ ପତାକାବାହକ ଭାବେ ସାଧ୍ୱୀ ଋତମ୍ଭରାଙ୍କ ଅବଦାନ ସନାତନ ଚେତନାର ଜାଗରଣ ଓ ଜାତୀୟ ସ୍ୱାଭିମାନ ପ୍ରତିଷ୍ଠାରେ ଅତୁଳନୀୟ।
ସେ କହିଛନ୍ତି, ସାଧ୍ୱୀ ଋତମ୍ଭରା କେବଳ ଆଧ୍ୟାତ୍ମିକତାର ପ୍ରଦୀପ ନୁହେଁ, ବରଂ ମାନବସେବା ଓ ସମାଜ କଲ୍ୟାଣ କ୍ଷେତ୍ରରେ ନିଜର ଦୂରଦୃଷ୍ଟି ଓ ସମର୍ପିତ ସେବା ମାଧ୍ୟମରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ‘ବିକଶିତ ଭାରତ’ ଏବଂ ସମୃଦ୍ଧ ଓଡ଼ିଶାର ସଂକଳ୍ପ ସାକାର କରିବା ପାଇଁ ସନାତନ ପରମ୍ପରା, ନୈତିକ ମୂଲ୍ୟବୋଧ ଓ ସାଂସ୍କୃତିକ ଜାଗରଣ ହିଁ ପ୍ରକୃତ ଶକ୍ତି। ସନ୍ଥ-ମହାତ୍ମାମାନଙ୍କ ଆଶୀର୍ବାଦ ଓ ଆଧ୍ୟାତ୍ମିକ ମାର୍ଗଦର୍ଶନ ରାଜ୍ୟର ବିକାଶ ଓ ଜନକଲ୍ୟାଣ ଯାତ୍ରାକୁ ଆହୁରି ଦିଗନିର୍ଦ୍ଦେଶ ଦେବ ବୋଲି ସେ ମତ ପ୍ରକାଶ କରିଛନ୍ତି।