ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଡେଲଟା ଛକ ନିକଟରେ ଘଟିଛି ଏକ ବଡ଼ ଅଘଟଣ। ଏକ ନିର୍ମାଣାଧୀନ ଲୁହା କୋଠାହଠାତ୍ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ଗତକାଲି ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି। କୋଠା ଦବିଯିବା ଫଳରେ କିଛି ଶ୍ରମିକ ଆହତ ହୋଇଥିବା ନେଇ ପ୍ରାଥମିକ ସୂଚନା ମିଳିଛି। ତେବେ ଆହତଙ୍କ ସଂଖ୍ୟା ଓ ସେମାନଙ୍କ ଅବସ୍ଥା ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମିଳିନାହିଁ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରାତିରେ ହଠାତ୍ ଏକ ବଡ଼ ଶବ୍ଦ ଶୁଣିବାକୁ ମିଳିଥିଲା। ପରେ ନିର୍ମାଣାଧୀନ ଲୁହା ଢାଞ୍ଚା ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଥିଲା। ତେବେ ଏହା କିପରି ଭୁଶୁଡ଼ିଲା, ଘଟଣା ସମୟରେ ସେଠାରେ କେତେ ଜଣ ଶ୍ରମିକ ଉପସ୍ଥିତ ଥିଲେ ଏବଂ ପ୍ରକୃତରେ କେତେ ଜଣ ଆହତ ହୋଇଛନ୍ତି, ତାହା ଏବେ ସ୍ପଷ୍ଟ ହେବା ବାକି ରହିଛି।
ଅନ୍ୟପଟେ, ନିର୍ମାଣ କାମ କେଉଁ ସଂସ୍ଥା କରୁଥିଲା ଏବଂ ନିର୍ମାଣ ପାଇଁ ଆବଶ୍ୟକ ଅନୁମତି ନିଆଯାଇଥିଲା କି ନାହିଁ, ସେନେଇ ମଧ୍ୟ ପ୍ରଶ୍ନ ଉଠିଛି। କୋଠାର ଡିଜାଇନ୍ରେ କୌଣସି ତ୍ରୁଟି ଥିଲା କି, ନିର୍ମାଣ ସମୟରେ ସୁରକ୍ଷା ନିୟମ ପାଳନ କରାଯାଉଥିଲା କି ନାହିଁ, ତାହା ଯାଞ୍ଚ ପରେ ହିଁ ସ୍ପଷ୍ଟ ହେବ। ତେବେ ଘଟଣାକୁ ନେଇ ଠିକାଦାର କିମ୍ବା ନିର୍ମାଣାଧୀନ ସଂସ୍ଥାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଦିଲ୍ଲୀର ସତ୍ୟ ନିକେତନ ଘଟଣା ପରେ ଦେଶବ୍ୟାପୀ ଭାବେ ନିର୍ମାଣସ୍ଥଳର ସୁରକ୍ଷା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଭୁବନେଶ୍ୱରର ଏହି ଘଟଣା ରାଜଧାନୀରେ ନିର୍ମାଣ ନିୟମ ଓ ଶ୍ରମିକଙ୍କ ସୁରକ୍ଷାକୁ ନେଇ ପୁଣିଥରେ ବଡ଼ ପ୍ରଶ୍ନ ଛିଡ଼ା କରିଛି।