ଭବାନୀପାଟଣା: କଳାହାଣ୍ଡିର ଝିଅ ଶୋଭା ସାହୁ ନିଜ ସାହସ ଓ ଦୃଢ଼ ଇଚ୍ଛାଶକ୍ତିରେ ରଚିଛନ୍ତି ଏକ ପ୍ରେରଣାଦାୟକ ଇତିହାସ। ହିମାଚଳ ପ୍ରଦେଶର ୬,୧୧୧ ମିଟର ଉଚ୍ଚ ମାଉଣ୍ଟ ୟୁନାମ ଶିଖରରେ ଆରୋହଣ କରି ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରି ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।
ଶୋଭା କହିଛନ୍ତି, ଶିଖର ଯାତ୍ରା ଆଦୌ ସହଜ ନଥିଲା। ଉଚ୍ଚତା ବଢ଼ିବା ସହ ସେ ତୀବ୍ର ମୁଣ୍ଡବ୍ୟଥା, ବାନ୍ତି ଓ ଶ୍ୱାସକଷ୍ଟ ଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଶିଖର ଆରୋହଣ ଦିନ ସକାଳେ ବାରମ୍ବାର ବାନ୍ତି ହେବାରୁ ଟେଣ୍ଟରୁ ବାହାରିବା ମଧ୍ୟ ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା।
ଔଷଧ ସେବନ ଓ କିଛି ସମୟ ବିଶ୍ରାମ ପରେ ସେ ପୁଣିଥରେ ଅଭିଯାନ ଆରମ୍ଭ କରିଥିଲେ। ତେବେ ୬,୧୧୧ ମିଟର ଉଚ୍ଚତାରେ ଅମ୍ଳଜାନର ଅଭାବ ମଧ୍ୟ ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଥିଲା। ସବୁ ବାଧାକୁ ଜୟ କରି ଶେଷରେ ଶୋଭା ମାଉଣ୍ଟ ୟୁନାମ ଶିଖରରେ ଭାରତର ତ୍ରିରଙ୍ଗା ଉଡ଼ାଇଥିଲେ।
ଶୋଭାଙ୍କ କହିବା ଅନୁଯାୟୀ, ପିଲାଦିନରୁ ସମାଜର ସେହି ଧାରଣାକୁ ଭୁଲ ପ୍ରମାଣିତ କରିବାର ସ୍ୱପ୍ନ ଥିଲା ଯେ, କିଛି କାମ କେବଳ ପୁଅମାନେ ହିଁ କରିପାରନ୍ତି। ସେହି ବିଶ୍ୱାସ ତାଙ୍କୁ ପର୍ବତାରୋହଣ ଭଳି କଠିନ କ୍ଷେତ୍ରରେ ପଦାର୍ପଣ କରିବାକୁ ପ୍ରେରଣା ଦେଇଥିଲା।
ସେ ରାଜ୍ୟର ଯୁବପିଢ଼ି, ବିଶେଷକରି ଝିଅମାନଙ୍କୁ ବଡ଼ ସ୍ୱପ୍ନ ଦେଖିବା ଓ ନିଜ ଲକ୍ଷ୍ୟ ପଛରେ ଦୃଢ଼ତାର ସହ ଆଗକୁ ବଢ଼ିବାକୁ ଆହ୍ୱାନ କରିଛନ୍ତି। “ଝିଅମାନେ କେବଳ ରୋଷେଇ ପାଇଁ ଜନ୍ମ ହୋଇନାହାନ୍ତି, ଆମେ ମଧ୍ୟ ନୂଆ ଇତିହାସ ସୃଷ୍ଟି କରିପାରିବୁ,” ବୋଲି ସେ କହିଛନ୍ତି।
ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ମାଣିକେଶ୍ୱରୀଙ୍କ ଆଶୀର୍ବାଦରେ ଶୋଭା ଆଗାମୀ ଦିନରେ ଆହୁରି ଅନେକ ଶିଖର ଜୟ କରନ୍ତୁ ବୋଲି ଶୁଭେଚ୍ଛା ଜଣାଯାଇଛି। ତାଙ୍କ ଏହି ସଫଳତା ଓଡ଼ିଶାର ହଜାର ହଜାର ଝିଅଙ୍କ ପାଇଁ ଏକ ନୂଆ ପ୍ରେରଣା ପାଲଟିଛି।