ଭୁବନେଶ୍ୱର: ଦେଶରେ ଏନଆଇଏ ନିକଟରେ ମାଳ ମାଳ ମାମଲା ପଡ଼ି ରହୁଥିବାବେଳେ ଏହାର ଶୁଣାଣି ପାଇଁ ସ୍ୱତନ୍ତ୍ର ଅଦାଲତ ନାହିଁ । ଯାହାକୁ ନେଇ ସର୍ବୋଚ୍ଚ ଅଦାଲତ ଉଦବେଗ ପ୍ରକାଶ କରିଛନ୍ତି । ତୁରନ୍ତ ସମସ୍ତ ରାଜ୍ୟରେ ସ୍ୱତନ୍ତ୍ର ଏନଆଇଏ ଅଦାଲତ ସ୍ଥାପନା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ବି ମୋହନାଙ୍କ ଖଣ୍ଡପୀଠ ରାଜ୍ୟରେ ଏନଆଇଏ ଅଦାଲତ ସ୍ଥାପନା ଆବେଦନର ଶୁଣାଣି କରିଛନ୍ତି । ବିଭିନ୍ନ ରାଜ୍ୟରେ ସ୍ୱତନ୍ତ୍ର ଏନଆଇଏ କୋର୍ଟ ନ ଥିବା ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିବା ସହିତ ତୁରନ୍ତ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଏନଆଇଏ ଅଦାଲତରେ ଆଉ କୌଣସି ମାମଲାର ଶୁଣାଣି ହେବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।
ଅତିରିକ୍ତ ସଲିସିଟର୍ ଜେନେରାଲ ଏଶ୍ୱର୍ଯ୍ୟା ଭାଟି ଅନେକ ରାଜ୍ୟ ଏ ଯାଏ ଏନଆଇଏ କୋର୍ଟ ସ୍ଥାପନାର ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିନଥିବା କୋର୍ଟଙ୍କୁ ଅବଗତ କରାଇଛନ୍ତି । ଆଜିର ଶୁଣାଣିରେ କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ, ତେଲେଙ୍ଗାନା ପ୍ରମୁଖ ରାଜ୍ୟ ଗୁଡ଼ିକ ନିଜର ରିପୋର୍ଟ ଦେଇଛନ୍ତି । କର୍ଣ୍ଣାଟକ କହିଛି ଯେ ବେଙ୍ଗାଲୁରୁ ସହରରେ ୩ଟି ଏନଆଇଏ କୋର୍ଟ ସ୍ଥାପନା ହୋଇଥିବାବେଳେ ଚିକମଙ୍ଗଲୁରରେ ଖୁବ ଶୀଘ୍ର ଆଉ ଗୋଟିଏ କୋର୍ଟ ଗଠନ କରାଯିବ । ସେହିପରି କେରଳ ସରକାର ସ୍ୱତନ୍ତ୍ର କୋର୍ଟ ପାଇଁ ସ୍ଥାନ ଚିହ୍ନଟ କରିସାରିଥିବା କୋର୍ଟଙ୍କୁ ଅବଗତ କରାଯାଇଛନ୍ତି । ଆଗାମୀ ଦୁଇ ରୁ ତିନି ମାସ ମଧ୍ୟରେ କୋର୍ଟ ସ୍ଥାପନା ପାଇଁ ଅଦାଲତଙ୍କୁ ସମୟ ଲୋଡ଼ିଛନ୍ତି ।
ସେହିପରି ତାମିଲନାଡ଼ୁରେ ଗୋଟିଏ କୋର୍ଟ କାର୍ଯ୍ୟରତ ଥିବାବେଳେ ଆଉ ଗୋଟିଏର ସ୍ଥାପନା ପ୍ରକ୍ରିୟା ଜାରି ରହିଛି । ସେପଟେ ତିନି ସପ୍ତାହ ମଧ୍ୟରେ ସ୍ୱତନ୍ତ୍ର ଏନଆଇଏ କୋର୍ଟ କାର୍ଯ୍ୟ ଆରମ୍ଭ କରିବାକୁ ସୁପ୍ରିମକୋର୍ଟ ତେଲେଙ୍ଗାନା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସେପଟେ ଆସାମରେ ୨୬ଟି ଏନଆଇଏ ମାମଲା ରହିଥିବାବେଳେ ଗୋଟିଏ ଅଦାଲତ କାର୍ଯ୍ୟକ୍ଷମ ରହିଛି । ଅନ୍ୟ ଦୁଇଟି ସ୍ଥାପନା କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି । ଏଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଆସାମକୁ ୪ ସପ୍ତାହର ସମୟ ଦେଇଛନ୍ତି ସୁପ୍ରିମକୋର୍ଟ । ସେହିପରି ଜମ୍ମୁ କାଶ୍ମୀରରେ ୪୬ଟି ମାମଲା ଏନଆଇଏ ନିକଟରେ ଗଡ଼ୁଥିବାବେଳେ ମାତ୍ର ଗୋଟିଏ ସ୍ୱତନ୍ତ୍ର କୋର୍ଟ ରହିଛି । ଯାହାକି ସୁରକ୍ଷା ଦୃଷ୍ଟିକୋଣରୁ ଜମ୍ମୁ କାଶ୍ମୀର ପାଇଁ ଏହା ଏକ ଚିନ୍ତାର କାରଣ । ଜମ୍ମୁ କାଶ୍ମୀରରେ ତିନୋଟି ସ୍ୱତନ୍ତ୍ର ଏନଆଇଏ କୋର୍ଟର ଆବଶ୍ୟକତା ଥିବା ଜଣାପଡ଼ିଛି ।