ଭୁବନେଶ୍ୱର : ଓଡ଼ିଶାରେ ଅଗ୍ନି ଦୁର୍ଘଟଣା ରୋକିବା ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା (OFES) ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ମାସେ ବ୍ୟାପୀ ଏକ ସ୍ୱତନ୍ତ୍ର ଅଗ୍ନି ସୁରକ୍ଷା ଯାଞ୍ଚ ଓ ସଚେତନତା ଅଭିଯାନ ଆରମ୍ଭ ହେବ । ଏନେଇ ସୂଚନା ଦେଲେ ଚିଫ୍ ଫାୟାର ଅଫିସର ଦେବେନ୍ଦ୍ର ସ୍ଵାଇଁ।
ଏହି ମାସିକିଆ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଓ ସଚେତନତା କାର୍ଯ୍ୟକ୍ରମର ନାମ ‘ସୁରକ୍ଷିତ ଓଡ଼ିଶା, ବିକଶିତ ଓଡ଼ିଶା’ ରଖାଯାଇଛି।
ଚିଫ୍ ଫାୟାର ଅଫିସର ଦେବେନ୍ଦ୍ର ସ୍ୱାଇଁଙ୍କ ସୂଚନା ଅନୁଯାୟୀ, ରାଜ୍ୟର ସମସ୍ତ ଶିଳ୍ପ ପ୍ରତିଷ୍ଠାନ, ବାଣିଜ୍ୟିକ ପ୍ରତିଷ୍ଠାନ, ବହୁତଳ ଆବାସିକ ବିଲ୍ଡିଂ, ଶିକ୍ଷାନୁଷ୍ଠାନ ଏବଂ ଚିକିତ୍ସାଳୟ (ହସ୍ପିଟାଲ) ଗୁଡ଼ିକରେ ବ୍ୟାପକ ଅଗ୍ନି ସୁରକ୍ଷା ଯାଞ୍ଚ (ଫାୟାର ଅଡିଟ୍) କରାଯିବ।
୮୦୦ରୁ ଅଧିକ ବିଲ୍ଡିଂକୁ ନୋଟିସ୍: ଚଳିତ ବର୍ଷ ବାଧ୍ୟତାମୂଳକ ଅଗ୍ନି ସୁରକ୍ଷା ପ୍ରମାଣପତ୍ର (Fire Safety Certificate) ନଥାଇ ଚାଲୁଥିବା ପ୍ରାୟ ୮୦୦ଟି ବିଲ୍ଡିଂକୁ ଚିହ୍ନଟ କରାଯାଇ ନୋଟିସ୍ ଜାରି କରାଯାଇଛି। ଏହା ମଧ୍ୟରେ ୨୫୮ଟି ଆବାସିକ କମ୍ପ୍ଲେକ୍ସ, ୧୭୨ଟି ହୋଟେଲ, ୧୦୦ଟି ଶିକ୍ଷାନୁଷ୍ଠାନ, ୮୬ଟି ବ୍ୟବସାୟିକ କୋଠା ଏବଂ ୧୪ଟି ସ୍ୱାସ୍ଥ୍ୟ କେନ୍ଦ୍ର ସାମିଲ ଅଛନ୍ତି। ନୋଟିସ ପାଇଥିବା ଏହି ସମସ୍ତ ପ୍ରତିଷ୍ଠାନଗୁଡ଼ିକ ଉପରେ ଏହି ଅଭିଯାନ ସମୟରେ ବିଶେଷ ନଜର ରଖାଯିବ।
ଯାଞ୍ଚ କରିବା ସହିତ ବିଲ୍ଡିଂ ମାଲିକ, ସେଠାରେ ରହୁଥିବା ଲୋକ ଏବଂ ଅଂଶୀଦାରମାନଙ୍କୁ ସଚେତନ କରିବା ପାଇଁ ମାସିକିଆ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ଓ କର୍ମଶାଳା ଏବଂ ପ୍ରଦର୍ଶନୀ ଆୟୋଜନ କରାଯିବ।
ଏହି ସୁରକ୍ଷା ଯାଞ୍ଚର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ଧନଜୀବନକୁ ସୁରକ୍ଷିତ ରଖିବା, ଅଗ୍ନି ନିରାପତ୍ତା ନିୟମର ଅନୁପାଳନ କରାଇବା ଏବଂ ସମସ୍ତ ବିଲ୍ଡିଂଗୁଡ଼ିକର ଏକ ସଠିକ ଡାଟାବେସ୍ ପ୍ରସ୍ତୁତ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ଅଟେ। ଏଥିସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।