ନୂଆଦିଲ୍ଲୀ: ଦିଲ୍ଲୀ ସତ୍ୟ ନିକେତନ ଆବାସିକ କୋଠା ଭୁଶୁଡ଼ିବା ମାମଲାରେ ଦିଲ୍ଲୀ ମହାନଗର ନିଗମର ପାଞ୍ଚ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏମସିଡି ଦକ୍ଷିଣ ଜୋନର ଉପାୟୁକ୍ତ ରାକେଶ କୁମାର, ଅଧିକ୍ଷକ ଯନ୍ତ୍ରୀ ରଣବୀର ସିଂହ, ପର୍ଯ୍ୟବେକ୍ଷକ ଯନ୍ତ୍ରୀ ଲଳିତ କୁମାର ଗୋୟଲ, ଦୁଇ ସହକାରୀ ଯନ୍ତ୍ରୀ ସୁନୀଲ ଚୌହ୍ୱାନ ଓ ଆଶୀଷ କୁମାରଙ୍କୁ ତତ୍କାଳ ସ୍ୱରୂପ କାର୍ୟ୍ୟରୁ ନିଲମ୍ବିତ କରାଯାଇଛି । କୌଣସି କୋଠା ଭୁଶୁଡ଼ିବା ମାମଲାରେ ଉପାୟୁକ୍ତ ସ୍ତରରେ କାର୍ୟ୍ୟାନୁଷ୍ଠାନ ହେବାର ଏହା ପ୍ରଥମ ମାମଲା ଅଟେ ।
ଆଜି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଘଟଣାସ୍ଥଳକୁ ଦ୍ୱିତୀୟ ଥର ପରିଦର୍ଶନ କରି ଉଦ୍ଧାରକାର୍ୟ୍ୟ ଓ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ଏହା ସହିତ ଘର ମାଲିକଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସେପଟେ ଆଖପାଖରେ ଥିବା ଅନ୍ୟ ପୁରୁଣା କୋଠା ଗୁଡ଼ିକରେ ମଧ୍ୟ ଯାଞ୍ଚ ଆରମ୍ଭ ହୋଇଯାଇଛି । ପି-୧୩ ଭବନକୁ ମଧ୍ୟ ଏମସିଡି ବିପଦସଙ୍କୁଳ ବୋଲି ଘୋଷଣା କରିଛି । ଏହାକୁ ୩ ଦିନ ମଧ୍ୟରେ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ କୋଠା ଭଙ୍ଗା ନ ଯାଏ ତେବେ ଏମସିଡି ଏହି କୋଠାକୁ ନିଜ ତରଫରୁ ଭାଙ୍ଗିବ ଏବଂ ସମ୍ପୃକ୍ତ କୋଠାର ମାଲିକ ସମସ୍ତ ଖର୍ଚ୍ଚ ବହନ କରିବେ ।
ସତ୍ୟ ନିକେତନ ଦୀର୍ଘ ୫୬ ବର୍ଷ ତଳର କୋଠା ଅଟେ । ୧୯୭୦ରେ ଏଠାରେ ତିନି ମହଲା ବିଶିଷ୍ଠ କୋଠା ନିର୍ମାଣ ପାଇଁ ଅନୁମତି ଥିବାବେଳେ ଏହାର ନିର୍ମାଣ ୫ ମହଲା ଥିଲା ।
ଉଲ୍ଲେଖ ଯୋଗ୍ୟ, ଗତକାଲି ସତ୍ୟ ନିକେତ କୋଠା ଭୁଶୁଡ଼ିବା ଦ୍ୱାରା ୭ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି । ଅଗ୍ନିଶମ ବାହିନୀ, ଏନଡିଆରଏଫ, ପୋଲିସ ଏବଂ ସ୍ଥାନୀୟ ବାସିନ୍ଦା ଏବେ ବି ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଅଛନ୍ତି।